କୋରୋନା ପରେ କାଳୀପୂଜା ଦେଖିବ କେନ୍ଦୁଝର
Advertisement

କୋରୋନା ପରେ କାଳୀପୂଜା ଦେଖିବ କେନ୍ଦୁଝର

କାଳୀପୂଜା ହେଉଛି କେନ୍ଦୁଝରର ଗଣପର୍ବ। ୧୫ ଦିନ ଧରି ଚାଲିବାକୁ ଥିବା କାଳୀପୂଜା ପାଇଁ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ କାରିଗର ଦେଉଛନ୍ତି ଶେଷସ୍ପର୍ଷ।

କୋରୋନା ପରେ କାଳୀପୂଜା ଦେଖିବ କେନ୍ଦୁଝର

କେନ୍ଦୁଝର (ଅଭୟ ମହାନ୍ତି): କାଳୀପୂଜାରେ (Kali puja) ଏବର୍ଷ ଦୁଲୁକିବ କେନ୍ଦୁଝର ସହର (Keonjhar City) । କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା (Kali Puja) ଗତ 2ବର୍ଷ ଧରି ଫିକା ପଡିଥିବା ବେଳେ ଏବର୍ଷ ସହରରେ ଶ୍ୟାମାକାଳୀ, ଶ୍ମଶାନକାଳୀଙ୍କ ବିରାଟ ମୂର୍ତ୍ତି, ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ସହ ମୀନାବଜାର ଓ ଅପେରାର ମଜା ଉଠାଇବେ ଦର୍ଶକ। ୧୫ ଦିନ ଧରି ଚାଲିବାକୁ ଥିବା କାଳୀପୂଜା ପାଇଁ ପ୍ରସ୍ତୁତି ଏବେ ପହଞ୍ଚିଛି ଶେଷ ପର୍ଯ୍ୟାୟରେ। 

କାଳୀପୂଜା ହେଉଛି କେନ୍ଦୁଝରର ଗଣପର୍ବ। ୧୫ ଦିନ ଧରି ଚାଲିବାକୁ ଥିବା କାଳୀପୂଜା ପାଇଁ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ କାରିଗର ଦେଉଛନ୍ତି ଶେଷସ୍ପର୍ଷ। କାଳୀତୀର୍ଥରେ ଶ୍ୟାମାକାଳୀ ଏଥର ୮୧ ବର୍ଷ, ନେତ୍ରାକାଳୀ ୫୪ ବର୍ଷ ଓ କାଶୀପୁରଠାରେ ଶ୍ମଶାନ କାଳୀ ପୂଜା ୫୦ ବର୍ଷରେ ପଦାର୍ପଣ କରୁଛି। କାଳୀ ତୀର୍ଥରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କାରିଗର ମାଗୁଣି ଚରଣ କୁଅଁର ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମା'ଙ୍କର ଜୀବନ୍ତ ପ୍ରତିମା ଗଢିବାରେ ବ୍ୟସ୍ତ। ସେହିପରି ୨୪ ବର୍ଷ ଧରି ନିଜ ହାତରେ ମା'ଙ୍କ ପ୍ରତିମୂର୍ତ୍ତି ଗଢି ମାତ୍ର ଶହେ ଟଙ୍କାରୁ ଆରମ୍ଭ ନେତ୍ରାକାଳୀ ପୂଜା ଏବେ ଆକର୍ଷଣୀୟ ଢଙ୍ଗରେ କରାଯାଉଛି। କାଶୀପୁର ଠାରେ ଶ୍ମଶାନ କାଳୀଙ୍କର ମୂର୍ତ୍ତି, ମେଢ, ତୋରଣ ଆଦି ସାଜସଜ୍ଜା କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।

କାଳୀ ପୂଜା ସହ ଏଠାରେ ୧୫ ଦିନ ଧରି ମୀନାବଜାର, ଫୁଡବଜାର, ଅପେରା, ବିଭିନ୍ନ ପ୍ରକାର ଦୋଳି ଆଦିର ମଜା ଉଠାଇଥାନ୍ତି ଦର୍ଶକ। ଯାହା କରୋନା କଟକଣା ପାଇଁ ଗତ ୨ ବର୍ଷ ଧରି ବନ୍ଦଥିଲା। ହେଲେ କାଳୀପୂଜାକୁ ମାତ୍ର ଦିନ କେଇଟା ବାକି ଥିବା ବେଳେ କାଳୀତୀର୍ଥ ଠାରୁ ଆରମ୍ଭ ହୋଇ ଟେଲିଫୋନ୍ ଏକ୍ସଚେଞ୍ଜ, ପାର୍କଲାଇନ୍ ଓ ଥାନା ଛକ ଯାଏ ବିଭିନ୍ନ ମନୋହରୀ ଓ ଘରକଣା ସାମଗ୍ରୀ ଦୋକାନ ବସିବା ଆରମ୍ଭ ହୋଇଗଲାଣି।

ଏସବୁର ମଜା ଉଠାଇବାକୁ ଚାହିଁ ବସିଛନ୍ତି ସହରବାସୀ। କାଳୀପୂଜା ସହ ମୀନାବଜାର, ଅପେରା ଆଦି ସଠିକ୍ ଭାବେ ପରିଚାଳନା କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା କହିଛନ୍ତି ଆୟୋଜକ। କାଳୀପୂଜା ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ତୟାର। ୩ ପ୍ଲାଟୁନ ଫୋର୍ସ ସହ ଏକାଧିକ ଅଫିସରଙ୍କୁ ନିୟୋଜିତ କରିଯିବାର ବ୍ୟବସ୍ଥା କରାଯାଇଛି ବୋଲି ଏସ୍ ପି ମିତ୍ରଭାନୁ ମହାପାତ୍ର କହିଛନ୍ତି ।

ତେବେ ଦୁଇ ବର୍ଷ ଧରି କୋରୋନା ମହାମାରୀ ଲାଗି ରହିଥିବାରୁ ରାଜ୍ୟରେ ପାର୍ବଣ ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଥିଲା। ଚଳିତ ବର୍ଷ କୋରୋନା କଟକଣା ସମ୍ପୂର୍ଣ୍ଣ ଭାବେ ହଟି ଯାଇଥିବାରୁ ରାଜ୍ୟବାସୀ ପାର୍ବଣକୁ ବେଶ ଧୁମଧାମରେ ପାଳନ କରି ଆସୁଛନ୍ତି। ଏହି କ୍ରମରେ ଚଳିତ ବର୍ଷ କେନ୍ଦୁଝରରେ ବେଶ ଧୁମଧାମରେ କାଳୀପୂଜାକୁ ପାଳନ କରିବାକୁ ଜିଲ୍ଲାବାସୀ ପ୍ରସ୍ତୁତ ହେଲେଣି। ମୂର୍ତ୍ତି କାରିଗର ମା' ପ୍ରତିମାରେ ଶେଷ ସ୍ପର୍ଷ ଦେଉଥିବା ବେଳେ ତୋରଣ ମଧ୍ୟ ସଜେଇ ହେଲାଣି। ରଙ୍ଗବେରଙ୍ଗ ଆଲୁଅରେ ମଧ୍ୟ ଜିଲ୍ଲା ନବବଧୂ ପରି ସଜେଇ ହେଲାଣି।