Gajapati News: ନାହିଁ ନାହିଁରେ ଚାଲିଛି ଆରୁମପାଟା ଗାଁ; ପଲିଥିନ ତଳେ ବିତୁଛି ଜୀବନ, ଗ୍ରାମରେ ନାହିଁ ଗୋଟିଏ ହେଲେ ପକ୍କା ଘର
Advertisement
Article Detail0/zeeodisha/odisha1686429

Gajapati News: ନାହିଁ ନାହିଁରେ ଚାଲିଛି ଆରୁମପାଟା ଗାଁ; ପଲିଥିନ ତଳେ ବିତୁଛି ଜୀବନ, ଗ୍ରାମରେ ନାହିଁ ଗୋଟିଏ ହେଲେ ପକ୍କା ଘର

Backward Area In Odisha: ରାଜ୍ୟରେ ଏପରି କିଛି ଦୁର୍ଗମ ସ୍ଥାନ ରହିଛି। ଯେଉଁଠାରେ ଲୋକେ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି। ଯାହାର ଉଦାହରଣ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଳକର ଦୁର୍ଗମ ଖାରୀଗୁଡ଼ା ପଞ୍ଚାୟତର ଆରୁମପାଟା ଗ୍ରାମ।

Gajapati News: ନାହିଁ ନାହିଁରେ ଚାଲିଛି ଆରୁମପାଟା ଗାଁ; ପଲିଥିନ ତଳେ ବିତୁଛି ଜୀବନ, ଗ୍ରାମରେ ନାହିଁ ଗୋଟିଏ ହେଲେ ପକ୍କା ଘର

Backward Village In Odisha: ଆଜିର ବିଜ୍ଞାନ ଯୁଗରେ ଅନେକ କ୍ଷେତ୍ରରେ ଅଗ୍ରଗତି କରିବାରେ ସଫଳ ହୋଇଛି ଆଜିର ସଭ୍ୟ ଏବଂ ସୁଶିକ୍ଷିତ ମଣିଷ।  ହେଲେ ଆଜି ଦିନରେ ଏପରି ମଧ୍ୟ କିଛି ସ୍ଥାନ ରହିଛି ଯେଉଁଠାରେ ପହଞ୍ଚି ପାରିନାହିଁ ମୌଳିକ ସୁବିଧା। ଏବେ ମଧ୍ୟ ଏପରି ଗାଁ ରହିଛି, ଯେଉଁଠାରେ ଗୋଟିଏ ହେଲେ ମଧ୍ୟ ପକ୍କା ଘର ନାହିଁ। କିଏ ଭଙ୍ଗା କୁଡିଆରେ ପଲିଥିନ ଟାଣି ରହୁଛନ୍ତି ଆଉ କିଏ ଟିଣ ଛପର ଘର କରି ରହୁଛି। ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଆବାସ ଯୋଜନା ସେତେ ଯେପରି ଏହି ଗ୍ରାମବାସୀଙ୍କ ପାଇଁ ସାତ ସପନ ହୋଇ ରହିଯାଇଛି। ଗ୍ରାମରେ ଏଭଳି ବିକଳ ଚିତ୍ର ହିଁ ବୟାନ କରୁଛି ଯେ ସରକାରୀ ବ୍ୟବସ୍ଥା ଏଠାରେ କେତେ କାର୍ଯ୍ୟକ୍ଷମ ହେଉଛି।

ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁର୍ଗମ ଖାରୀଗୁଡ଼ା ପଞ୍ଚାୟତର ଆରୁମପାଟା ଗ୍ରାମର କଥା। ସରକାର ପକ୍କା ଘର ଯୋଗାଇଦେବା ନାମରେ ଅନେକ ବାଃହା ବାଃହା ନେଇ ଡିଣ୍ଡିମ ପିଟୁଛନ୍ତି। ହେଲେ ଆଜି ମଧ୍ୟ ସମ୍ପୁର୍ଣ୍ଣ ଗ୍ରାମରେ ଝାଟି ମାଟି ଚାଳ ଛପର ଘର ହିଁ ରହିଛି। ଅନୁନ୍ନତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଆରୁମପାଟା ଗ୍ରାମରେ ପ୍ରଶାସନ କିମ୍ବା କୌଣସି ରାଜନେତାଙ୍କ ଦୃଷ୍ଟି ନଥିବା ହେତୁ ଆଜି ମଧ୍ୟ ନିଜ ଭାଗ୍ୟକୁ ଆଦରି ଦୁର୍ବିସହ ଜୀବନ ବିତାଉବାକୁ ବାଧ୍ୟ ହେଉଛନ୍ତି ସ୍ଥାନୀୟ ଗ୍ରାମବାସୀ।

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଖାରିଗୁଡ଼ା ପଞ୍ଚାୟତର ଆରୁମପାଟା ଗ୍ରାମ ପାହାଡ ତଳେ ଅବସ୍ଥିତ। ଏହି ଗ୍ରାମରେ ପ୍ରାୟ ୪୦ ପ୍ରତିଶତ ଆଦିବାସୀ କୁଇ କନ୍ଧ ଜନଜାତି ସମ୍ପ୍ରଦାୟର ପରିବାର ବସବାସ କରିଥାନ୍ତି। ହେଲେ ବିଡମ୍ବନା ବିଷୟ ଯେ ଗ୍ରାମରେ ଗୋଟିଏ ହେଲେ ପରିବାର ପାଖରେ ନାହିଁ ପକ୍କା ଘର। ଗ୍ରାମରେ ଅଧିକାଂଶ ପରିବାର ଝାଟି ମାଟି ଘର ଉପରେ ପଲିଥିନ ଟାଣି ରହୁଥିବା ବେଳେ କିଛି ପରିବାର ଟିଣ ଛପର ଘର କରି ରହୁଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଗ୍ରାମବାସୀ ବହୁବାର ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କ ନିକଟରେ ନିଜର ଗୁହାରୀ ଜଣାଇ ଆସୁଛନ୍ତି।

ହେଲେ ଆଜି ଯାଏଁ କେହି ସେମାନଙ୍କ ଗୁହାରୀ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବର୍ଷା ଦିନରେ ଗ୍ରାମର ସ୍ଥିତି ଆହୁରି ଶୋଚନୀୟ ହୋଇ ଯାଏ। ଘରେ ପାଣି ଗଳୁ ଥିବା ବେଳେ ପାହାଡ଼ରୁ ପାଣି ଖସି ଗାଁ ଏବଂ ଗ୍ରାମବାସୀଙ୍କ ଘର ଭିତରେ ପଶିଯାଏ। ଗ୍ରାମର ଉପର ମୁଣ୍ଡରେ ପାହାଡ ପାଣିକୁ ଅଟକାଇବା ପାଇଁ ତେରାସିଂ ୱାଲ୍ ନିର୍ମାଣ ପାଇଁ ମଧ୍ୟ ଗ୍ରାମବାସୀ ବହୁବାର ପଞ୍ଚାୟତକୁ ଜଣାଇଛନ୍ତି। ହେଲେ ତାହା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିନାହିଁ। ପିଇବା ପାଣି ସୁବିଧା ନ କହିବା ଭଲ। ଗ୍ରାମର ତଳ ମୁଣ୍ଡରେ ରହିଥିବା ନାଳ ପାଖରେ ଖୋଲା ହୋଇଥିବା ବହୁ ବର୍ଷର ପୁରୁଣା କୂଅ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ଏଥିରୁ ଦୂଷିତ ପାଣି ପିଇ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ। ତଥାପି ବାଧ୍ୟ ହୋଇ ସେମାନେ ସେହି ପାଣିକୁ ବ୍ୟବହାର କରୁଥିବା ଗ୍ରାମର ୱାର୍ଡ ସଭ୍ୟା ମାର୍ଟିନା ମାଝୀ, ଲତା ମାଝି, ଭାସ୍କର ମାଝୀ ପ୍ରମୁଖଙ୍କ ସମେତ ଗ୍ରାମବାସୀ ପ୍ରକାଶ କରିଛନ୍ତି।

କେହି ଝାଟି ମାଟି କିମ୍ବା ଚାଳ ଛପର ଘରେ ରହିବେ ନାହିଁ। ସେଥିପାଇଁ ସରକାର ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନାରେ ଗରିବ ଜନ ସାଧାରଣଙ୍କୁ ଘର ଯୋଗାଇବା ପାଇଁ ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ସର୍ଭେ କରୁଛନ୍ତି। ହେଲେ ଏହି ଗ୍ରାମର ଚିତ୍ର ହିଁ ବୟାନ କରୁଛି ସରକାରୀ ବ୍ୟବସ୍ଥା ଏଠାରେ କେତେ କାର୍ଯ୍ୟକାରୀ ହେଉଛି। ଏନେଇ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିବା ବେଳେ ତୁରନ୍ତ ଗ୍ରାମବାସୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ସହ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।