ନିଲାମ ହେବ ବଡ଼ମ୍ବା ଚିନିକଳ, ସର୍ବନିମ୍ନ ମୂଲ୍ୟ ୧୫ କୋଟି ୧୮ଲକ୍ଷ ଟଙ୍କା
Advertisement
Article Detail0/zeeodisha/odisha1873539

ନିଲାମ ହେବ ବଡ଼ମ୍ବା ଚିନିକଳ, ସର୍ବନିମ୍ନ ମୂଲ୍ୟ ୧୫ କୋଟି ୧୮ଲକ୍ଷ ଟଙ୍କା

Badamba Sugar Mill: ୧୯୮୪ ମସିହାରେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ବଡମ୍ବା ଚିନିକଳର ଭିତ୍ତିପ୍ରସ୍ତର ପକାଇଥିଲେ। ୪୮୮୧ ଜଣ କୃଷକଙ୍କ ୮.୧୩ କୋଟି ଟଙ୍କା ବ୍ୟୟରେ ଏହି ଚିନିକଳ ତିଆରି ହୋଇଥିଲା। 

 

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: ଦିନେ ଦେଶରେ ନାଁ କରିଥିବା ବଡ଼ମ୍ବା ଚିନିକଳ ଅକ୍ଟୋବର ୧୩ ତାରିଖରେ ନିଲାମ ହେବ। କର୍ତ୍ତୃପକ୍ଷ ଋଣ ନେଇ ପରିଶୋଧ କରି ନପାରିବାରୁ  ୟୁନିୟନ ବ୍ୟାଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଲାମ ପାଇଁ ସର୍ବନିମ୍ନ ଅର୍ଥ ୧୫ କୋଟି ୧୮ଲକ୍ଷ ଟଙ୍କା ରଖାଯାଇଛି। ପୁଣି ଏହି ନିଲାମ ପ୍ରକ୍ରିୟାରେ ଭାଗ ନେବା ପାଇଁ ବ୍ୟାଙ୍କ ପକ୍ଷରୁ ଅମାନତ ରାଶି ୭୫ ଲକ୍ଷ ୯୦ ହଜାର ଟଙ୍କା ସ୍ଥିର କରାଯାଇଛି। 

୧୯୮୪ ମସିହାରେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ବଡମ୍ବା ଚିନିକଳର ଭିତ୍ତିପ୍ରସ୍ତର ପକାଇଥିଲେ। ୪୮୮୧ ଜଣ କୃଷକଙ୍କ ୮.୧୩ କୋଟି ଟଙ୍କା ବ୍ୟୟରେ ଏହି ଚିନିକଳ ତିଆରି ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଚିନନ କଳରୁ ଉତ୍ପାଦିତ ଚିନି ଉନ୍ନତ ମାନର ହୋଇଥିବାରୁ ଦେଶରେ ଚାହିଦା ବୃଦ୍ଧି କରିଥିଲା। ଦିନକୁ ଦିନ କାରବାର ବଢ଼ିଲା, ହେଲେ ୧୯୯୧ ମସିହାରେ ସରକାରଙ୍କ ସମବାୟ ବିଭାଗ ଏହାକୁ ଏକ ଘରୋଇ କମ୍ପାନୀକୁ ପରିଚାଳନା କରିବାକୁ  ଦାୟିତ୍ୱ ପ୍ରଦାନ କଲେ। ତାମିଲନାଡ଼ୁର ଶକ୍ତି ସୁଗାର ଏହାର ପରିଚାଳନା ହାତକୁ ନେଲା। ୧୪ ବର୍ଷ ଧରି ସେ ସଫଳତାର ପୂର୍ବକ ଏହି ଚିନିକଳକୁ ଚଳାଇଲେ। କିନ୍ତୁ ୨୦୦୪ ମସିହାରେ ଶକ୍ତି ସୁଗାରର ଚୁକ୍ତି ସମାପ୍ତ ହେବାରୁ ସରକାର ଏହାକୁ ଆଉ ନବୀକରଣ ନକରି କିଛି ନୂଆ କରିବାକୁ ଚେଷ୍ଟା କରିଲେ। ସରକାରଙ୍କ ଏହି ନୂଆ କରିବାର ଚିନ୍ତା ବଡ଼ମ୍ବା ଚିନିକଳ ପାଇଁ ଦୁର୍ଦ୍ଦିନର କାରଣ ହେଲା । 

୨୦୦୫ ମସିହାରେ ଏହାର ପ୍ରକୃତ ମାଲିକ ଅର୍ଥାତ୍‍ ସରକାରଙ୍କ ସମବାୟ ବିଭାଗ ଏହି କଳକୁ ପରିଚାଳନା ପାଇଁ ଲକ୍ଷ୍ମୀପତି ବାଲାଜି ଆଣ୍ଡ ଡିଷ୍ତଟିଲର୍‍କୁ ଦେଲେ। ସରକାରଙ୍କଠାରୁ ଆବଶ୍ୟକ କାଗଜପତ୍ର ପାଇବା ପରେ କିନ୍ତୁ ଚିନିକଳକୁ ଚଳାଇବା ବଦଳରେ ବ୍ୟାଙ୍କରୁ ଟଙ୍କା ଉଠାଇବା ଲାଗି ବ୍ୟବହାର କଲେ। ଚିନିକଳର ଚାଲୁଥିବା ସମ୍ପତ୍ତି ଓ ସରକାରୀ କାଗଜପତ୍ର ଦେଖାଇ ଲକ୍ଷ୍ମୀପତି ବାଲାଜୀ କମ୍ପାନୀ ମୁମ୍ବାଇର ନରିମାନ୍‍ ପଏଣ୍ଟ ୟୁନିୟନ  ବ୍ୟାଙ୍କ ଶାଖାରୁ  ମାତ୍ରାଧିକ ଋଣ ନେଲେ। ଏହି ଋଣ କାରବାରରେ କିଛି ଜାଲି କାଗଜପତ୍ର ବ୍ୟବହାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଋଣ ଓ ସୁଧ ମିଶାଇ ସମୁଦାୟ ୩୬୯  କୋଟି ଟଙ୍କାରେ ପହଞ୍ଚିଛି। ଶେଷରେ ଋଣ ସର୍ତ୍ତ ଅନୁସାରେ ବ୍ୟାଙ୍କ ନିଜର ଅର୍ଥ ଫେରିପାଇବାକୁ ଏହି ସମ୍ପତ୍ତିକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିଲାଗି ଅକ୍ଟାବର ୧୪ରେ ନିଳାମ ହେବ।
 
ବ୍ୟାଙ୍କରୁ ବାଲାଜୀ କମ୍ପାନୀ ବେଆଇନ ଭାବେ ଋଣ ନେଇଥିବା ବିଜେପି ଅଭିଯୋଗ କରିଛି। ଏହାର ସିବିଆଇ ତଦନ୍ତ ପାଇଁ ମଝିରେ ଦାବି ବି କରିଥିଲା। ହେଲା ସରକାର ତାହାକୁ ଦୃଷ୍ଟି ଦେଇ ନାହାନ୍ତି। ଏବେ ବଡ଼ମ୍ବା ଚିନିକଳର ଭଗ୍ନରୂପ ବୟାନ କରୁଛି କିପରି ଏକ ସରକାରୀ କମ୍ପାନୀ ସରକାରଙ୍କ ଦୋଷରୁ ରୋଜଗାରିଆରୁ ବେକାର ପାଲଟିପାରେ। ଆଉ ତାହା ଉପରେ ନିର୍ଭର କରି ଆସୁଥିବା ଲୋକେ କିପରି ଅସହାୟ ହୋଇପଡ଼ନ୍ତି।