Archana Nag case: ନାଗଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗିରଫ କଲା ED, ତେଜିଲା ରାଜ୍ୟ ରାଜନୀତି
Advertisement
Article Detail0/zeeodisha/odisha1436664

Archana Nag case: ନାଗଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗିରଫ କଲା ED, ତେଜିଲା ରାଜ୍ୟ ରାଜନୀତି

Blackmailer Archana Nag case: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ନାଗଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଛି। ନାଗଙ୍କ ବେଆଇନ୍ ଅର୍ଥ କାରବାର ମାମଲାର କଳା ଧନ ପ୍ରସଙ୍ଗର ତଦନ୍ତ କରୁଥିବା ଏସ୍ଆଇଟି ଇଡିକୁ ରିପୋର୍ଟ ମାଗିଛି । ସେପଟେ ଏହି ଘଟଣାକୁ ନେଇ ରାଜନୀତି ଜୋରଦାର ରହିଛି ।

ସୌ: ସୋସିଆଲ ମିଡିଆ

Blackmailer Archana Nag case: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ (Archana Nag) ବିଜନେସ ପାର୍ଟନର ଖଗେଶ୍ୱର ପାତ୍ର ଶେଷରେ ବନ୍ଧା ହୋଇଛନ୍ତି । ଗୁରୁବାର ଦିନ ଖଗେଶ୍ୱରଙ୍କ ଘର ସମେତ ଶୋ’ ରୁମ୍‌ରେ ପଶି ତନାଘନା ଚଳାଇଥିବା ଇଡି ଆଜି ଅର୍ଥାତ ଶୁକ୍ରବାର ଦିନ ସନ୍ଧ୍ୟାରେ ତାଙ୍କୁ ଉଠାଇ ନେଇଛି । ଏହାପରେ ଆଜି ସକାଳୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି । ଏପରି ସମୟରେ SIT ସ୍କାନରକୁ ଅର୍ଚ୍ଚନା ନାଗ ଆସିଛନ୍ତି । ନାଗଙ୍କ ବେଆଇନ୍ ଅର୍ଥ କାରବାର ମାମଲାର କଳା ଧନ ପ୍ରସଙ୍ଗର ତଦନ୍ତ କରୁଥିବା ଏସ୍ଆଇଟି ଇଡିକୁ ରିପୋର୍ଟ ମାଗିଛି । ସେପଟେ ଏହି ଘଟଣାକୁ ନେଇ ରାଜନୀତି ଆଜି ବି ଜାରି ରହିଛି।

ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ଘନିଷ୍ଟ ବନ୍ଧୁ ଓ ବିଜିନେସ୍ ପାର୍ଟନର ହେଉଛନ୍ତି ଖଗେଶ୍ଵର ପାତ୍ର । ଭୁବନେଶ୍ଵର ରସୁଲଗଡ଼ରେ ୨୦୧୦ରୁ ୨୦୧୯ ଯାଏଁ ଖଗେଶ୍ୱର ପୁରୁଣା ଗାଡ଼ି ବ୍ୟବସାୟ କରୁଥିବା ଖଗେଶ୍ୱର ଅର୍ଚ୍ଚନା ନାଗଙ୍କ ସଂସ୍ପର୍ଶରେ ଆସିବା ପରେ ନିଜ ବ୍ୟବସାୟର କାୟା ମେଲାଇଥିଲେ । ଏପରିକିକ ନିଜ ବ୍ୟବସାୟକୁ ସେ ହଂସପାଳ ଉଠାଇ ନେଇ ସେଠାରେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍‌ ଶୋ’ ରୁମ୍‌ କରିଥିଲେ । ପ୍ରାଥମିକ ଯାଞ୍ଚରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହ ଖଗେଶ୍ୱରଙ୍କ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ଲିଙ୍କ୍ ମିଳିଛି । ୨୦୧୭ରୁ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ଲିଙ୍କ୍ ପ୍ରମାଣ ଇଡି ହାତରେ ଲାଗିଛି । ତେଣୁ କୋର୍ଟ ଚାଲାଣ ପରେ ଖଗେଶ୍ୱରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ଆଣିବ ।

ଅର୍ଚ୍ଚନାଙ୍କ ଆର୍ଥିକ କାରବାର ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଇଡି ହାତରେ ଲାଗିଥିବା ଜଣାଯାଇଛି । ହେଲେ ଆକାଉଣ୍ଟ ବଦଳରେ ଅର୍ଚ୍ଚନା ହାତାହାତି କ୍ୟାସ୍ କାରବାର କରିଥିବାରୁ ଇଡିକୁ ଏହାର ସମ୍ପୂର୍ଣ୍ଣ ତଥ୍ୟ ହାତେଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବହୁ ପ୍ରଭାବଶାଳୀ ନେତା, ମନ୍ତ୍ରୀ ଓ ସରକାରୀ ବାବୁଙ୍କ ଲିଙ୍କ୍ ରହିଥିବା ଅନୁମାନ କରାଯାଉଛି । ସେପଟେ ଏହି ମାମଲା ଏବେ SIT ସ୍କାନରକୁ ଚାଲି ଆସିଛି । ଅର୍ଚ୍ଚନା ନାଗଙ୍କ ବେଆଇନ୍ ଅର୍ଥ କାରବାର ମାମଲାର ରିପୋର୍ଟ ଇଡିକୁ ମାଗିଛି ଏସ୍ଆଇଟି । ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏସ୍ଆଇଟି ବୈଠକ ବସିବ । ଉକ୍ତ ବୈଠକରେ ଅର୍ଚ୍ଚନାଙ୍କ ବେଆଇନ୍ ଅର୍ଥ କାରବାର ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ତେବେ ଏହାକୁ ନେଇ ବିରୋଧୀ ମାନେ ଏବେ ଶାସକ ଦଳକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ।

ତେବେ ଏହି ମାମଲରେ ଆଜି ବିଜେଡି ମୁହଁ ଫିଟାଇ ନାହିଁ । କିନ୍ତୁ ପ୍ରତିଥର ଇଡି ତଦନ୍ତକୁ ତାଚ୍ଛଲ୍ୟ କରିଆସିଛି । ଗତକାଲି ବିଜେଡି ବିଧାୟକ ଅମର ଶତପଥୀ କହିଥିଲେ ଏ ସବୁ ପ୍ରହେଳିକା । ଆଗରୁ ବହୁତ ସୃଷ୍ଟି କରାଯାଇଛି । ଏପରି ଅପଚେଷ୍ଟା କେବଳ ଭ୍ରମାତ୍ମକ । ଯିଏ ତଦନ୍ତ କରିବା କଥା କରୁ । ଆମର କୌଣସି ସମସ୍ୟା ନାହିଁ ।

ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ ଆରମ୍ଭ କରିଥିବା ଇଡି ଗତକାଲି ଦିନ ସାରା ୬ଟି ସ୍ଥାନରେ ଏକକାଳୀନ ରେଡ କରିଥିଲା । କଳାହାଣ୍ଡିର କେସିଙ୍ଗାସ୍ଥିତ ଅର୍ଚ୍ଚନାଙ୍କ ପୈତୃକ ବାସଭବନ, ଭୁବନେଶ୍ୱରସ୍ଥିତ ସତ୍ୟବିହାର କୋଠା, ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ଶାଶୁଘରେ ଏକକାଳୀନ ଚଢ଼ଉ କରିଛି ।  ଏହାବାଦ ଖଗେଶ୍ୱରଙ୍କ ଭିଙ୍ଗାରପୁର କୁରାଙ୍ଗ ଶାସନ ସ୍ଥିତ ଗଙ୍ଗେଶ୍ୱର ଘରେ, ଭୁବନେଶ୍ୱର ହଂସପାଳ ଓ ରସୁଲଗଡ଼ସ୍ଥିତ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ସୋ ରୁମ୍‌ରେ ବି ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଇଡି ଯାଞ୍ଚ କରିଥିଲା ।