Make in Odisha: ନିୟମଗିରି ସୁରକ୍ଷା ସମିତି, ମାଳି ପର୍ବତ ସୁରକ୍ଷା ସମିତି, ଉପକୂଳ ଜମି ଜଙ୍ଗଲ ସୁରକ୍ଷା ସମିତି, ବସ୍ତି ସୁରକ୍ଷା ମଞ୍ଚ, ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି, କୋଡିଙ୍ଗାମାଳି ସୁରକ୍ଷା ମଞ୍ଚ, ଜିନ୍ଦଲ-ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ଓ ଗ୍ରାମସଭା କମିଟି ପକ୍ଷରୁ ଭୁବନେଶ୍ୱର ଲୋୟର PMGରେ ଧାରଣା ପ୍ରଦର୍ଶନ ଚାଲିଛି।
Trending Photos
Make in Odisha, ଭୁବନେଶ୍ୱର: ଓଡ଼ିଶା ନିର୍ମାଣ ନାମରେ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଲୁଟ କରାଯାଉଛି। ରାଜ୍ୟ ସରକାର 'ମେକ୍ ଇନ୍ ଓଡ଼ିଶା' ନାମରେ 'ଲୁଟ୍ ଅଫ୍ ଓଡ଼ିଶା' ଚଳାଇଛନ୍ତି। ନବୀନ ସରକାର ଏଠି ଲୁଟେରା କମ୍ପାନୀଙ୍କ ପାଇଁ ମେଳା ଖୋଲିଛନ୍ତି। ରାଜ୍ୟରେ ପ୍ରାକୃତିକ ସମ୍ପଦର ଅବିଚାରିତ ଖନନ ଓ ବିସ୍ଥାପନ ପ୍ରତିବାଦରେ ଭୁବନେଶ୍ୱର ଲୋୟର PMGରେ ବିକ୍ଷୋଭ କରୁଥିବା ଆନ୍ଦୋଳନକାରୀ ଏହି ଅଭିଯୋଗ କରିଛନ୍ତି।
ନିୟମଗିରି ସୁରକ୍ଷା ସମିତି, ମାଳି ପର୍ବତ ସୁରକ୍ଷା ସମିତି, ଉପକୂଳ ଜମି ଜଙ୍ଗଲ ସୁରକ୍ଷା ସମିତି, ବସ୍ତି ସୁରକ୍ଷା ମଞ୍ଚ, ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି, କୋଡିଙ୍ଗାମାଳି ସୁରକ୍ଷା ମଞ୍ଚ, ଜିନ୍ଦଲ-ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ଓ ଗ୍ରାମସଭା କମିଟି ପକ୍ଷରୁ ଭୁବନେଶ୍ୱର ଲୋୟର PMGରେ ଧାରଣା ପ୍ରଦର୍ଶନ ଚାଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମେକ ଇନ ଓଡ଼ିଶା ମହାକୁମ୍ଭ ଚାଲିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ନିରୀହ ଆଦିବାସୀମାନେ ବିରୋଧ କରିଛନ୍ତି। ଓଡ଼ିଶାକୁ ଲୁଟ ପାଇଁ ସରକାର ଲୁଟେରା କମ୍ପାନୀ ଗୁଡିକ ପାଇଁ ଏକ ମେଳା ଖୋଲିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।
Also Read: Odisha: ମେକ୍ ଇନ୍ ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଗଣ୍ଡା ଗଣ୍ଡା ଷ୍ଟିଲ ପ୍ଲାଣ୍ଟ, ପାୱାର ପ୍ଲାଣ୍ଟ, ସିମେଣ୍ଟ ପ୍ଲାଣ୍ଟ, ଆଲୁମିନା ପ୍ଲାଣ୍ଟ, ସ୍ପଞ୍ଜ ଆଇରନ ପ୍ଲାଣ୍ଟ ଖୋଲିଛି। କିନ୍ତୁ ଏହି ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ। କୃଷି ଓ ଜଙ୍ଗଲ ଜମିରେ ଶିଳ୍ପ ଗଢି ଉଠିବା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ, ଆଦିବାସୀ, ଦଳିତ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି। ଏପରି ଜନବିରୋଧୀ ବିକାଶ ନାମରେ ବିନାଶ ଦ୍ୱାରା ନୂଆ ଦାରିଦ୍ର୍ୟ ଆଞ୍ଚଳ ସୃଷ୍ଟି ହେଉଛି। ଦିନକୁ ଦିନ ଜଳବାୟୁରେ ପରିବର୍ତ୍ତନ ଘଟି ସଙ୍କଟ ସୃଷ୍ଟି ହେଉଛି। ଏପରି ସମୟରେ ସରକାର ପୁଞ୍ଜି ନିବେଶକୁ ସ୍ୱାଗତ କରି ଦେଶୀ ବିଦେଶୀ କମ୍ପାନୀ ହାତରେ ଆମ ରାଜ୍ୟର ଆସିମୀତ ପ୍ରାକୃତିକ ଖଣିଜ ସମ୍ପଦକୁ ଟେକି ଦେବା ପାଇଁ ଚାହୁଁଛନ୍ତି ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।
ମେକ ଇନ ଓଡ଼ିଶା ନାମରେ ରାଜ୍ୟବାସୀଙ୍କ ସ୍ୱାର୍ଥ ନୁହେଁ ବରଂ ସରକାର ଉତ୍ସବ ପାଳୁଛନ୍ତି। ମେକ ଇନ ଓଡ଼ିଶା, ପୁଞ୍ଜିବାଦୀ ବିକାଶ ନୀତି ଦ୍ୱାରା ନିୟନ୍ତ୍ରଣ ଓ ଏହା କେବଳ କର୍ପୋରେଟ ସୁରକ୍ଷା ପାଇଁ ଅନୁଷ୍ଠିତ ହେଉଛି ବୋଲି ଜିନ୍ଦଲ-ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ଜଣେ ସଦସ୍ୟ କହିଛନ୍ତି। ନଭେମ୍ବର ୩୦ ତାରିଖ ବୁଧବାର ମେକ-ଇନ୍-ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଠାରେ ଏହି କନକ୍ଲେଭ୍ ଆୟୋଜିତ ହୋଇଯାଇଛି। ପ୍ରାୟ ୫ ଦିନ ଧରି ଏହି ଶିଳ୍ପ ମହାକୁମ୍ଭ ଅନୁଷ୍ଠିତ ହେଉଥିବା ବେଳେ, ମୋଟ୍ ୩୮ ଇଭେଣ୍ଟରେ ୧୨୪ ଜଣ ବକ୍ତା ଯୋଗଦେବେ। ପାରମ୍ପାରିକ ଶିଳ୍ପ ବ୍ୟତୀତ ନୂତନ ଜ୍ଞାନ କୌଶଳ କ୍ଷେତ୍ରରେ ବଡ଼ ନିବେଶ ପାଇଁ ରାଜ୍ୟ ସରକାର ଏଥର ଲକ୍ଷ୍ୟ ରଖିଛନ୍ତି।