ଭାଇରସ୍ ବନାମ ଭବିଷ୍ୟତ: ପରୀକ୍ଷା ପୂର୍ବରୁ ବନ୍ଦ ପାଠପଢ଼ା, ପିଲାଙ୍କୁ ଭରଷା ଅନଲାଇନ୍ ଶିକ୍ଷା
Advertisement
Article Detail0/zeeodisha/odisha1067623

ଭାଇରସ୍ ବନାମ ଭବିଷ୍ୟତ: ପରୀକ୍ଷା ପୂର୍ବରୁ ବନ୍ଦ ପାଠପଢ଼ା, ପିଲାଙ୍କୁ ଭରଷା ଅନଲାଇନ୍ ଶିକ୍ଷା

ମେଡିକାଲ ଓ ନର୍ସିଂ କଲେଜକୁ ବାଦ ଦେଲେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସହ କୋଚିଂ ସେଣ୍ଟରରେ ଅଫଲାଇନ ପାଠପଢାକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି। କିନ୍ତୁ ଏଥର ସାମାନ୍ୟ ବିକଳ୍ପ ବ୍ୟବସ୍ଥା ସହ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ସଭିଏଁ ପ୍ରସ୍ତୁତ ଅଛନ୍ତି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଶିକ୍ଷାବର୍ଷରେ ପଡିଲା ତାଲା। ମଙ୍ଗଳବାରଠୁ ଅଫଲାଇନ କ୍ଲାସ ବନ୍ଦ ହୋଇ ପାଠପଢ଼ା ପୁଣି ଅନଲାଇନକୁ ଫେରିଛି। ପ୍ରଥମ ଲହର, ଦ୍ବିତୀୟ ଲହର ପରେ ଏବେ ଓମିକ୍ରନ ଭୟରେ ତୃତୀୟ ଲହର ଶିକ୍ଷାବର୍ଷକୁ ପ୍ରଭାବିତ କରିଛି। ଠିକ୍ ଶିକ୍ଷାବର୍ଷ ଶେଷ ତଥା ପରୀକ୍ଷା ମାସ ପୂର୍ବରୁ ହିଁ ଶିକ୍ଷା ଶଗଡର ଅଖଚଖ ବନ୍ଦ କରିଦେଇଛି। ମେଡିକାଲ ଓ ନର୍ସିଂ କଲେଜକୁ ବାଦ ଦେଲେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସହ କୋଚିଂ ସେଣ୍ଟରରେ ଅଫଲାଇନ ପାଠପଢାକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି। କିନ୍ତୁ ଏଥର ସାମାନ୍ୟ ବିକଳ୍ପ ବ୍ୟବସ୍ଥା ସହ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ସଭିଏଁ ପ୍ରସ୍ତୁତ ଅଛନ୍ତି।  

ଅଟକିଲା ଶିକ୍ଷା ଶଗଡ, ଖାଁ ଖାଁ କ୍ୟାମ୍ପସ୍। ଅଫଲାଇନ ପାଠପଢାରେ ଡୋରି ବନ୍ଧାହୋଇଛି। ଏବେ ପିଲାଙ୍କୁ ଅନଲାଇନ ହିଁ ଭରଷା। ଗତ ୭ ତାରିଖରେ ବିଦ୍ୟାଳୟ ଆଉ ୧୦ ତାରିଖରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲକୁ ଛାତ୍ରଛାତ୍ରୀଙ୍କୁ ମନା ହୋଇଛି। କୋଭିଡ ସଂକ୍ରମଣକୁ ଦେଖି ଅଫଲାଇନ ପାଠପଢା ବନ୍ଦ କରିବା ସହ ଅନଲାଇନ ଶିକ୍ଷାଦାନ ପାଇଁ ଅନୁମତି ରହିଛି। ଆଉ ମାସ କେଇଟା ପରେ ମାଟ୍ରିକ, ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା ଠାରୁ ଆରମ୍ଭ କରି ଯୁକ୍ତ ୩ ଓ ପିଜି ଫାଇନାଲ ପରୀକ୍ଷା ହୋଇଥାନ୍ତା। ହେଲେ କୋର୍ସ ଶେଷ ହେବା ପୂର୍ବରୁ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଗଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ରୁ ୮୦ ପ୍ରତିଶତ କୋର୍ସ ଶେଷ ହୋଇଥିବା ବାକି ଅନଲାଇନ ପାଠପଢା ଭରଷାରେ ସରକାରଙ୍କ ନିଷ୍ପତ୍ତିକୁ ଆଦରି ଅଭିଭାବକଙ୍କ ସହ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ଛାଡି ଛାତ୍ରଛାତ୍ରୀ ଘର ମୁହାଁ ହୋଇଛନ୍ତି।

Also Read: ଆଜିଠୁ ବିକ୍ଷିପ୍ତ ବର୍ଷା, ଅଧା ଓଡ଼ିଶାକୁ ସତର୍କତା

କୋଭିଡ ପାଇଁ ପାଠପଢା ବାଜିରେ ଲାଗିଛି। ମାର୍ଚ୍ଚ ୨୦୨୦ ପରଠାରୁ ମାସ ମାସ ଧରି କୋରୋନାର ଗୋଟିଏ ପରେ ଗୋଟିଏ ଲହର ଶିକ୍ଷାନୁଷ୍ଠାନରେ ତାଲା ମାରୁଛି। ପୁରୁଣା ଅଭିଜ୍ଞତାରୁ ଏଥର ବାର୍ଷିକ ପରୀକ୍ଷା ଅସମ୍ଭବତାକୁ ଏଡ଼ାଇବା ପାଇଁ ଉଭୟ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ପୂର୍ବରୁ ବିକଳ୍ପ ପରୀକ୍ଷା ଶେଷ ହୋଇଛି। ସେପଟେ ବିଶ୍ୱବିଦ୍ୟାଳୟ ଗୁଡିକରେ ପ୍ରାୟ ୮୦% ପାଠପଢା ଶେଷ ହୋଇଥିବା ବେଳେ ବଳକା ୨୦ ପ୍ରତିଶତ ଅନଲାଇନ ଜରିଆରେ ଶେଷ କରିବାକୁ ଟାର୍ଗେଟ ରହିଛି। ଏହାସହ ଅଫଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା ବେଳେ ନିର୍ଦ୍ଧାରିତ ସମୟରେ ସରକାରଙ୍କ ନିଷ୍ପତ୍ତି ମୁତାବକ ପରୀକ୍ଷା ହେବ।

ଏବେ ଶିକ୍ଷାନୁଷ୍ଠାନ ସାଙ୍ଗକୁ କୋଚିଂ ସେଣ୍ଟର ବି ବନ୍ଦ ହୋଇଛି। ଫଳରେ ବିଭିନ୍ନ ଉଚ୍ଚଶିକ୍ଷା ଓ ପ୍ରବେଶିକା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ବି ନିରାଶ ହୋଇଛନ୍ତି। ବାହାରୁ ଆସି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସବୁ ଛାଡି ଘରକୁ ଫେରିବାକୁ ପଡିଛି। ଫଳରେ ପାଠପଢା ସାଙ୍ଗକୁ କ୍ୟାରିୟରରେ ପ୍ରତି ଛାତ୍ରଛାତ୍ରୀଙ୍କୁ ଭିନ୍ନ ପରିସ୍ଥିତି ଆହ୍ବାନ ସୃଷ୍ଟି କରିଛି। ତେବେ ଏହି ପରିସ୍ଥିତି କେବେ ସୁଧୁରିବ ଓ ସ୍ଥିତି ସାମାନ୍ୟ ହେବ ତାହା ଉପରେ ଏକ ବଡ ପ୍ରଶ୍ନ ଚିହ୍ନ ରହିଛି।