Benito Mussolini:ଇଟାଲୀର ସେହି ଏକଛତ୍ରବାଦୀ ଶାସକର କାହାଣୀ,ଯାହାଙ୍କୁ ହତ୍ୟା ପରେ ପ୍ରେମିକା ସହ ତାରଖୁଣ୍ଟି ରେ ଝୁଲାଇ ଦେଇଥିଲେ ଜନତା
Advertisement

Benito Mussolini:ଇଟାଲୀର ସେହି ଏକଛତ୍ରବାଦୀ ଶାସକର କାହାଣୀ,ଯାହାଙ୍କୁ ହତ୍ୟା ପରେ ପ୍ରେମିକା ସହ ତାରଖୁଣ୍ଟି ରେ ଝୁଲାଇ ଦେଇଥିଲେ ଜନତା

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜଣେ ଏକଛତ୍ରବାଦୀ ଶାସକ ନିଜ ଅଧିନସ୍ତଙ୍କୁ  କହିଥିଲେ ଯେ ଯଦି ମୁଁ ସେ ଯୁଦ୍ଧକ୍ଷେତ୍ରରୁ ପଳାୟନ କରେ , ତେବେ ମୋତେ  ଗୁଳି କରିଦେବ। ଯେତେବେଳେ ସେ ଏହି କଥା କହିଥିଲେ ସେତେବେଳେ ସେ ଜାଣି ନଥିଲେ ଯେ ତାଙ୍କ ସହିତ ଏହା ପ୍ରକୃତରେ ଘଟିବ । ସେ ଯୁଦ୍ଧରୁ ଖସି ଦେଶଛାଡି ପଳାୟନ କରିବାକୁ ଉଦ୍ୟମ କରୁଥିବ

SOCIAL MEDIA

Benito Mussolini:

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜଣେ ଏକଛତ୍ରବାଦୀ ଶାସକ ନିଜ ଅଧିନସ୍ତଙ୍କୁ  କହିଥିଲେ ଯେ ଯଦି ମୁଁ ସେ ଯୁଦ୍ଧକ୍ଷେତ୍ରରୁ ପଳାୟନ କରେ , ତେବେ ମୋତେ  ଗୁଳି କରିଦେବ। ଯେତେବେଳେ ସେ ଏହି କଥା କହିଥିଲେ ସେତେବେଳେ ସେ ଜାଣି ନଥିଲେ ଯେ ତାଙ୍କ ସହିତ ଏହା ପ୍ରକୃତରେ ଘଟିବ । ସେ ଯୁଦ୍ଧରୁ ଖସି ଦେଶଛାଡି ପଳାୟନ କରିବାକୁ ଉଦ୍ୟମ କରୁଥିବା ବେଳେ ଶତ୍ରୁଙ୍କ ହାତରେ ଧରା ପଡିଥିଲେ। ଆଉ ଶତ୍ରୁ ତାଙ୍କୁ ଗୁଳି କରି ତାଙ୍କ ଉଲଗ୍ନ ମୃତଦେହକୁ ଗଛରେ ଓଲଟା ଝୁଲାଇ ଦେଇଥିଲେ। ଆଜି ଆମେ ଇଟାଲୀର ଏକଛତ୍ରବାଦୀ ଶାସକ, ହିଟଲରଙ୍କ ଗୁରୁ ତଥା ବନ୍ଧୁ ବେନିତୋ ମୁସୋଲିନିଙ୍କ ବିଷୟରେ କହୁଛୁ, ଯିଏ କି ୩ ଜାନୁଆରୀ ୧୯୨୫ରେ ଇଟାଲୀ ସଂସଦରେ ନିଜକୁ ଏକଛତ୍ରବାଦୀ ଶାସକ ଭାବେ ଘୋଷଣା କରିଥିଲେ ।

ବେନିତୋ ମୁସୋଲିନୀ ୧୮୮୩ ମସିହା ଜୁଲାଇ ୨୯ ତାରିଖରେ ଇଟାଲୀର ପ୍ରେଡାପିଓଠାରେ ଜନ୍ମଗ୍ରହଣ କରିଥିଲେ । ମା' ଜଣେ ଶିକ୍ଷୟିତ୍ରୀ ଓ ପିତା ଜଣେ କମାର ଥିଲେ। ଯେତେବେଳେ ମୁସୋଲିନୀ ବୟସ୍କ ହେଲେ ସେତେବେଳେ  ସେ ସ୍ୱିଜରଲ୍ୟାଣ୍ଡକୁ ଚାଲି ଯାଇଥିଲେ।  କାରଣ ସେ ସେନାରେ ଯୋଗ ଦେବାକୁ  ଚାହୁଁନଥିଲେ । ଇଟାଲୀୟ ନିୟମ ଅନୁଯାୟୀ ଦେଶର ପ୍ରତ୍ୟେକ ସାବାଲକଙ୍କୁ  ୧୮ ବର୍ଷ ହେବା ମାତ୍ରେ କିଛି ବର୍ଷ ସେନାରେ କାମ କରିବାକୁ ପଡୁଥିଲା । ଏଥିରୁ ବର୍ତ୍ତିବା ପାଇଁ ସେ ଦେଶ ଛାଡି ପଳାୟନ କରିଥିଲେ। କିନ୍ତୁ ଫେରିବା ପରେ ସେ ସେନାରେ ମଧ୍ୟ କିଛି ସମୟ କାମ କରିଥିଲେ। ଏହାପରେ ସେ ସାମ୍ବାଦିକତା ଆରମ୍ଭ କରିଥିଲେ ଏବଂ ଇଟାଲୀର ଏକ ସୋସିଆଲିଷ୍ଟ ପାର୍ଟିର   ଖବରକାଗଜ ଅବନ୍ତିର ସମ୍ପାଦକ ହୋଇଥିଲେ

୧୯୧୯ମସିହାରେ ନିଜର ଦଳ ଗଠନ କରିଥିଲେ

ତାହା ଥିଲା ୧୯୧୪ ମସିହା। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ମୁସୋଲିନୀ ତାଙ୍କ ଖବରକାଗଜରେ ଏକ ଲେଖା ଲେଖିଥିଲେ, ଯାହାକୁ ନେଇ ଅନେକ ହଇଚଇ ସୃଷ୍ଟି ହୋଇଥିଲା । ସେ ଲେଖିଥିଲେ ଯେ ଇଟାଲୀ ନିରପେକ୍ଷ ରହିବା ଉଚିତ ନୁହେଁ। ବିଶ୍ୱଯୁଦ୍ଧରେ ସେ ଫ୍ରାନ୍ସ ଓ ବ୍ରିଟେନକୁ ସମର୍ଥନ କରିବା ଉଚିତ । ତେବେ ଏହି ଲେଖା ପାଇଁ ତାଙ୍କୁ ଖବରକାଗଜ ଚାକିରିରୁ ବହିଷ୍କାର କରାଯାଇଥିଲା । ଏହାପରେ ମୁସୋଲିନୀ ସାମ୍ବାଦିକତା ଛାଡି ନିଜର ଜାତୀୟତାବାଦର ବିଚାରଧାରା ଆଧାରରେ ଲୋକଙ୍କୁ ଯୋଡ଼ିବା ଆରମ୍ଭ କରିଥିଲେ । ବଢୁଥିବା ସମର୍ଥନ ଦେଖି ସେ ୧୯୧୯ ରେ ନ୍ୟାସନାଲ ଫାସିଷ୍ଟ ପାର୍ଟି ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ ଏବଂ ତାଙ୍କ ଭଳି ଲୋକଙ୍କୁ ଦଳରେ ସାମିଲ କରିବା  ଜାରି ରଖିଥିଲେ ।

ବିକ୍ଷୋଭ ମାଧ୍ୟମରେ ଶକ୍ତି ପ୍ରଦର୍ଶନ

ଦେଶରେ ମୁସୋଲିନୀଙ୍କୁ ବିପୁଳ ସମର୍ଥନ ମିଳିବା ଆରମ୍ଭ ହୋଇଥିଲା । ତାଙ୍କ ଦଳର କର୍ମୀ  କଳା ପୋଷାକ ପିନ୍ଧିବା ଆରମ୍ଭ କଲେ, ଯାହା ତାଙ୍କ ପରିଚୟ ପାଲଟିଥିଲା । ସେମାନେ ଡୁଚେ ବୋଲି ମଧ୍ୟ ପରିଚିତ ହୋଇଥିଲେ।  ଜାତୀୟତାବାଦ ନାମରେ ରାଜନୈତିକ ମନୋଭାବ ବଦଳିବାରେ ଲାଗିଥିଲା। ଏହା ଦେଖି ଇଟାଲୀ ସେନାର ବେକାର ସୈନିକମାନେ ମୁସୋଲିନୀଙ୍କ ସହିତ  ଯୋଗ ଦେବା ଆରମ୍ଭ କଲେ । ଇଟାଲୀ ସରକାରଙ୍କ ନୀତିରେ କ୍ରୋଧିତ ହୋଇ ଏହି ସୈନିକମାନେ ମୁସୋଲିନୀଙ୍କୁ ସମର୍ଥନ କରିବା ଆରମ୍ଭ କରିଥିଲେ ଏବଂ ଲକ୍ଷ ଲକ୍ଷ ଲୋକ ତାଙ୍କ ସହ ଯୋଗ ଦେଇଥିଲେ ।

ଏହି ସମୟରେ ମୁସୋଲିନୀ ପ୍ରତିବାଦ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ ଜାରି ରଖିଥିଲେ। ଏହି ସମୟରେ ଲୋକମାନେ ମୁସୋଲିନୀଙ୍କୁ ଏତେ ଭଲ ପାଉଥିଲେ ଯେ ସେ ଯେଉଁଠି ବି ଉପସ୍ଥିତ ରହୁଥିଲେ ସେଠାରେ ଭିଡ଼ ଦୁଚେ-ଡୁଚେ-ଡୁଚେ ବୋଲି ସ୍ଲୋଗାନ ଦେଉଥିଲା।

ସୁଯୋଗ ଦେଖି ରୋମ ଉପରେ ଆକ୍ରମଣ

ତା'ପରେ ଏକ ସମୟ ଆସିଲା ଯେତେବେଳେ ମୁସୋଲିନୀ ନିଶ୍ଚିତ ଥିଲେ ଯେ ବର୍ତ୍ତମାନ ସେ ସିଧାସଳଖ ଇଟାଲୀ ସରକାରଙ୍କୁ ଚ୍ୟାଲେଞ୍ଜ କରିପାରିବେ । ସେହି ରାତି ଥିଲା ୨୭-୨୮ ଅକ୍ଟୋବର ୧୯୨୨ । ମୁସୋଲିନୀ ଇଟାଲୀର ରାଜଧାନୀ ରୋମରେ ୩୦ହଜାର  ଫାସିବାଦୀଙ୍କୁ ନେଇ ରୋମ ଉପରେ  ଆକ୍ରମଣ କରିଥିଲେ। ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲୁଇଗି ଫାଣ୍ଟାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଦୁର୍ନୀତି, ମୁଦ୍ରାସ୍ଫୀତି ଓ ବେରୋଜଗାରୀରେ ବିରକ୍ତ ହୋଇ ଜନସାଧାରଣ ମଧ୍ୟ ତାଙ୍କ ସହ ସାମିଲ ହୋଇଥିଲେ।

ଲୁଇଗି ଫ୍ୟାକ୍ଟାର ଗଣତାନ୍ତ୍ରିକ ସରକାରକୁ ମଧ୍ୟ ସେନା ସମର୍ଥନ କରୁନଥିଲା। ଏହି କାରଣରୁ ଲୁଇଗି ଫ୍ୟାକ୍ଟା ସରକାର ଛାଡିଥିଲେ ଏବଂ ତତ୍କାଳୀନ ରାଜା ଭିକ୍ଟର ଇମାନୁଏଲ ମୁସୋଲିନିଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ।

କ୍ଷମତା ପାଇଁ ଦାବି କଲା ଇଟାଲୀ ସଂସଦ

୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ମୁସୋଲିନୀ ପ୍ରଥମେ ଇଟାଲୀର ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିଥିଲେ, କିନ୍ତୁ ତିନି ବର୍ଷ ପରେ ନିଜର ଅସଲ ଚେହେରା ଦେଖାଇଥିଲେ। ସେ  ୩ ଜାନୁଆରୀ ୧୯୨୫ରେ ଇଟାଲୀ ସଂସଦରେ ସେ ସର୍ବୋଚ୍ଚ କ୍ଷମତା ଉପରେ ନିଜର ଦାବି ଉପସ୍ଥାପନ କରି ନିଜକୁ ଇଟାଲିର  ଏକଛତ୍ରବାଦୀ ଶାସକ ଭାବେ ଘୋଷଣା କରିଥିଲେ। ମୁସୋଲିନି ନିଜକୁ ଆଜିବନ ଇଟାଲୀର ରାଷ୍ଟ୍ରମୁଖ୍ୟ ଭାବେ ଘୋଷଣା କରିଥିଲେ।  ଯେଉଁମାନେ ତାଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ ସେମାନଙ୍କୁ ସେ ହତ୍ୟା କରୁଥିଲେ। କୁହାଯାଏ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ ସେ ପାଖାପାଖି ୭ ଲକ୍ଷ ଲୋକଙ୍କୁ ହତ୍ୟା କରିଥିଲେ।

ସରକାର ଭାଙ୍ଗିଲା, ମୁସୋଲିନୀ ଗିରଫ

୧୯୩୯ରେ ଯେତେବେଳେ ଦ୍ବିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା ସେତେବେଳେ ମୁସୋଲିନୀ ଜର୍ମାନୀର ଏକଛତ୍ରବାଦୀ ହିଟଲରଙ୍କୁ ସମର୍ଥନ କରିଥିଲେ । ପ୍ରଥମେ ଇଟାଲି ଓ ଜର୍ମାନୀ ଯୁଦ୍ଧ ଜିତିବା ଆରମ୍ଭ କରିଥିଲେ। କିନ୍ତୁ ଧିରେଧିରେ ପରିସ୍ଥିତି ସେମାନଙ୍କ ବିରୋଧରେ ଯାଇଥିଲ। ଧୀରେ ଧୀରେ ସେମାନେ ହାରିବା ଆରମ୍ଭ କରିଥିଲେ। ୧୯୪୩ ବେଳକୁ ଇଟାଲୀ ତୀବ୍ର ମୁଦ୍ରାସ୍ଫୀତିର ଶିକାର ହୋଇଥିଲା। ଦୁର୍ନୀତି ସହ ବେକାରୀ ବଢ଼ିବାରେ ଲାଗିଥିଲା। ଏହି କାରଣରୁ ଯେଉଁ ଜନତା ଏକଦା ମୁସୋଲିନୀଙ୍କୁ ମୁଣ୍ଡରେ ବସାଇଥିଲେ  ସେହିମାନେ ତାଙ୍କୁ ଘୃଣା କରିବା ଆରମ୍ଭ କରିଥିଲେ। ଏହାକୁ ଅନୁଭବ କରି ୧୯୪୩ ମସିହା ଜୁଲାଇ ୨୫ ତାରିଖରେ ଇଟାଲୀର ରାଜା ମୁସୋଲିନୀଙ୍କୁ ଗିରଫ କରିଥିଲେ। ତାଙ୍କ ସରକାର ଭାଙ୍ଗିଗଲା, କିନ୍ତୁ ସେପ୍ଟେମ୍ବର ବେଳକୁ ହିଟଲର ତାଙ୍କୁ ମୁକ୍ତ କରିଥିଲେ।

ଗିରଫ ଭୟରେ ସେ ପ୍ରେମିକା ସହ ଫେରାର

ଏପ୍ରିଲ ୧୯୪୫ରେ ଯେତେବେଳେ ଜର୍ମାନୀର ବର୍ଲିନ ସହରକୁ ରୁଷିଆ ଓ ଆମେରିକା  ସେନା କବ୍ଜା କରିନେବା ପରେ  ହିଟଲର  ପଳାୟନ କରିବାକୁ ପଡିଲା । ରୁଷ୍ ହାତରେ ଗିରଫ ଭୟରେ ମୁସୋଲିନୀ ୧୯୪୫ ମସିହା ଏପ୍ରିଲ ୨୭-୨୮ ତାରିଖ ରାତିରେ ତାଙ୍କ ପ୍ରେମିକା କ୍ଲାରେଟା ଏବଂ ୧୬ ଜଣ ବିଶେଷ ସାଥୀଙ୍କ ସହ ଏକ ଟ୍ରକ୍ ରେ ଇଟାଲୀର ମିଲାନ ସହରରୁ ସ୍ୱିଜରଲ୍ୟାଣ୍ଡ ଅଭିମୁଖେ ଫେରାର ହୋଇଯାଇଥିଲେ।

ଧରା ପଡିଲେ,ଗୁଳି ଖାଇଲେ

ବିଦ୍ରୋହୀ ସୈନିକମାନେ ମୁସୋଲିନୀଙ୍କ ପଳାୟନ ସମ୍ପର୍କରେ ସୂଚନା ପାଇ ତାଙ୍କୁ ଖୋଜିବାରେ ଲାଗିଥିଲେ। ପ୍ରତ୍ୟେକ ଗାଡ଼ି ଯାଞ୍ଚ କରିବା ଆରମ୍ଭ ହୋଇଥିଲା। ସୁଇସ୍  ସୀମା ପୂର୍ବରୁ ଗୋଟିଏ ସ୍ଥାନରେ ଚେକିଂରେ ମୁସୋଲିନି ଧରା ପଡିଥିଲେ। ଏପ୍ରିଲ ୨୮ ତାରିଖ ବିଳମ୍ବିତ ରାତିରେ ମୁସୋଲିନୀ, କ୍ଲାରେଟା ଓ ତାଙ୍କ ସାଥୀମାନଙ୍କୁ ଏକ ହ୍ରଦକୁ ନିଆଯାଇ ଗୁଳି କରି ହତ୍ୟା କରାଯାଇଥିଲା। ଏପ୍ରିଲ ୨୯ ତାରିଖ ସକାଳେ ସେମାନଙ୍କ ମୃତଦେହ ମିଲାନ୍ ସହରର ଛକରେ ଫିଙ୍ଗି ଦିଆଯାଇଥିଲା।

ଛକରେ ଓଲଟା ଝୁଲୁଥିଲା ମୃତଦେହ

ମିଲାନରେ ମୁସୋଲିନୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ହଜାର ହଜାର ଲୋକ ଏହି ଛକରେ ଏକାଠି ହୋଇଥିଲେ। ଜଣେ ମହିଳା ମୁସୋଲିନୀଙ୍କୁ ୫ ଥର ଗୁଳି କରିଥିଲେ ଏବଂ କହିଥିଲେ ଯେ ସେ ତାଙ୍କର ପାଞ୍ଚ ପିଲାଙ୍କ ମୃତ୍ୟୁର ପ୍ରତିଶୋଧ ନେଉଛନ୍ତି। ଅନ୍ୟ ଜଣେ ମହିଳା ମୃତଦେହକୁ ମାଡ଼ ମାରିବା ପରେ ଜଣେ ବ୍ୟକ୍ତି ମୃତ ମୂଷାକୁ ପାଟିରେ ପକାଇବାକୁ ଚେଷ୍ଟା କରିଥିଲେ। ଏହାପରେ ମୃତଦେହକୁ ଛକ ଉପରେ ଓଲଟା ଟାଙ୍ଗି ଦିଆଯାଇଥିଲା। ମୁସୋଲିନୀଙ୍କ ମୃତ୍ୟୁର ଦୁଇ ଦିନ ପରେ ହିଟଲର ମଧ୍ୟ ଆତ୍ମହତ୍ୟା କରିଥିଲେ।