Dussehra 2022: DJ ଗୀତରେ ନାଚିଲେ ବଳଦ, ଦେଖିବାକୁ ଆସିଲେ ଶହ ଶହ ଲୋକ
Advertisement

Dussehra 2022: DJ ଗୀତରେ ନାଚିଲେ ବଳଦ, ଦେଖିବାକୁ ଆସିଲେ ଶହ ଶହ ଲୋକ

Dussehra 2022 in Balasore: ଦଶହରାରେ ନାଚିଲେ ବଳଦ। ପ୍ରତିଯୋଗୀତାରେ ଭାଗନେଲା ୩୦ ବଳଦ। ୨୦୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ହେଲା ସିମୁଳିଆ ବ୍ଲକ୍ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡ଼ା ଗାଁରେ ପାଳନ ହେଇଛି ନିଆରା ଦଶହରା।

 Dussehra 2022: DJ ଗୀତରେ ନାଚିଲେ ବଳଦ, ଦେଖିବାକୁ ଆସିଲେ ଶହ ଶହ ଲୋକ

Dussehra 2022, ବାଲେଶ୍ୱର: ଜିଲ୍ଲାର ସୋର, ସିମୁଳିଆ, ଖଇରା ଓ ଔପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଉତ୍ସାହ ସହକାରେ ପାଳନ ହୋଇଯାଇଛି । ଏହି ଅଞ୍ଚଳରେ ରୀତିନୀତିରେ ମାଁଙ୍କୁ ପୂଜାଅର୍ଚ୍ଚନା କରାଯାଇଥିବା ବେଳେ ସିମୁଳିଆ ବ୍ଲକ୍ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡ଼ା ଗାଁରେ ଦଶହରା ପର୍ବ ଏକ ନିଆରା ଢ଼ଙ୍ଗରେ ମନାଯାଉଥିବା ଦେଖିବାକୁ ମିଳିଛି । ଦଶହରା ପରିପେକ୍ଷୀରେ ବଳଦମାନଙ୍କୁ ରଙ୍ଗ ବେରଙ୍ଗ କପାଡାରେ ସର୍ଜିତ କରି ଏକ ନୃତ୍ୟ ପରିବେଷଣ କରିଥାନ୍ତି । ବଙ୍ଗୀୟ ସମ୍ପ୍ରଦାୟର ଲୋକେ ଦୀର୍ଘ ୨୦୦ ବର୍ଷ ପୂର୍ବରୁ ଆରମ୍ଭ କରିଥିବା ଏହି ପ୍ରଥାକୁ ଗ୍ରାମବାସୀମାନେ ଜାରି ରଖିଛନ୍ତି। ଲୋକଙ୍କ  ବିଶ୍ୱାସ ଯେ, ବଳଦ ନାଚ ହେଲେ ଭଲ ଫସଲ ଅମଳ ହେବା ସହିତ ଗାଁର ମଙ୍ଗଳ ହୋଇଥାଏ ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ୍ ଈଶ୍ୱରପୁର ପଞ୍ଚାୟତ ଚନ୍ଦ୍ରପଡ଼ା ଗାଁରେ ଏହି ବଳଦ ନାଚ ପ୍ରଥା ୨୦୦ରୁ ଊର୍ଦ୍ଧ୍ୱ ବର୍ଷ ହେବ ଗାଁ ଲୋକମାନଙ୍କ ମଙ୍ଗଳ କାମନା ପାଇଁ ଏହି ବଳଦ ନାଚ କରିଥାନ୍ତି । ବଳଦ ନାଚ ଦେଖିବା ପାଇଁ ସ୍ଥାନୀୟ ଓ ଦୂରଦୂରାନ୍ତରୁ ଶହ ଶହ ଭକ୍ତଙ୍କ ଭିଡ଼ ଜମିଥାଏ । ବଳଦମାନଙ୍କୁ ସର୍ଜିତ କରି ମହାଆଡ଼ମ୍ବର ସହକାରେ ବାଜା ନାଚ ସହିତ ମା’ଦେବୀଙ୍କ ପୀଠକୁ ଅଣାଯାଇଥାଏ । ଏହିଠାରେ ବଳଦ ପୂଜା ଅର୍ଚ୍ଚନା କରି ନଚା ଯାଏ । ଏହି ଭଳି କରିଲେ ଗ୍ରାମରେ ସମୃଦ୍ଧି ହେବା ସହିତ ଭଲ ଚାଷ ହେବ ବୋଲି ଗ୍ରାମବାସୀମାନେ ଆଶା ରଖିଥାନ୍ତି ବୋଲି ମନ୍ଦିରର ପୂଜକ ହୃଷିକେଶ ପାଣିଗ୍ରାହୀ କହିଛନ୍ତି।

Also Read: ଦୁର୍ଗା ପୂଜା ମଉଜକୁ ଫିକା କରୁଛି ବର୍ଷା, କଟକର ରାସ୍ତା ଶୂନଶାନ; ଫଟୋରେ ଦେଖନ୍ତୁ ଏହାର କିଛି ଝଲକ

ଚନ୍ଦ୍ରପଡ଼ା ଗ୍ରାମର ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ, ଏହିଠାରେ ୨୦୦ବର୍ଷ ପୂର୍ବରୁ ବେଙ୍ଗଲରୁ କିଛି ଲୋକ ଆସି ବସବାସ କରି ମା’ଦେବୀଙ୍କ ପୂଜା ଅର୍ଚ୍ଚନା କରିଆସୁଥିଲେ । ତାଙ୍କ ବଂଶଜ ବାଇଧର କୁଅଁର ଓ ଅନ୍ୟମାନେ ଦୁର୍ଗାପୂଜା କରିବା ସହିତ ଏହି ବଳଦ ନାଚ ପରମ୍ପରା ବଜାଇ ରଖିଥିଲେ । ଏହି ପରମ୍ପରାକୁ ଏବେ ଏହି ଗ୍ରାମବାସୀ ମାନି ସବୁ ବର୍ଷ ଦଶହରା ଦିନ ପାଳନ କରିଥାନ୍ତି । ଅଞ୍ଚଳବାସୀ ବଳଦ ନାଚ ସହିତ ମେଳାର ମଜା ଉଠାଇଥାନ୍ତି । ଏହିଥର ୨୦ରୁ ଊର୍ଦ୍ଧ୍ୱ ବଳଦ ଆଣି ପୂଜା ଅର୍ଚ୍ଚନା କରା ଯାଇ ନାଚ କରାଯାଇଥିଲା । ଏହି ସ୍ଥାନରେ ମେଳାରୁ ବିଭିନ୍ନ ଆବଶ୍ୟକ ଜିନିଷ କିଣା କିଣି କରିବା ସହ ଗ୍ରାମବାସୀ ତଥା ବାହାରୁ ଆସିଥିବା ଲୋକେ ଚଟପଟା ଖାଦ୍ୟ ର ମଜା ନେଇଛନ୍ତି ।

କିଛି ବର୍ଷଧରି ଗାଁରେ ପୂଜା କମିଟି ଦାୟିତ୍ୱ ନେଇ ପୂଜା କରିଆସୁଛନ୍ତି । ସେହି ୨୦୦ ବର୍ଷ ପୁରୁଣା ପରମ୍ପରାକୁ ବଜାଇ ରଖିବା ପାଇଁ ୨୦ରୁ ୩୦ ବଳଦକୁ ସଜାଇ ମା’ଙ୍କ ପୀଠକୁ ଅଣାଯାଇ ଥାଏ । ଏହି ବଳଦ ନାଚ ହେଲେ ଗାଁର ମଙ୍ଗଳ ହୋଇଥିବା ସହ ଲୋକମାନଙ୍କର ମନସ୍କାମନା ପୂରଣ ହୋଇଥାଏ । ଗ୍ରାମବାସୀମାନେ ମଧ୍ୟ ତାଙ୍କ ବଳଦକୁ ବର୍ଷ ସାରା ଭଲରେ ଯତ୍ନ ନେଇଥାନ୍ତି । ଏହି ବଳଦ ନାଚରେ ଭଲ ନାଚ କରିଥିବା ବଳଦର ମାଲିକକୁ ପୁରସ୍କାର ପ୍ରଦାନ କରା ଯାଆଇଥାଏ । କୋରୋନା ପରେ ଏହି ବର୍ଷ ବହୁ ଆଡ଼ମ୍ବରରେ ବଳଦ ନାଚ ଅନୁଷ୍ଠିତ ହୋଇଥିଲା।

Also Read: Petrol-Diesel Price Today: ତୈଳ ଦରରେ ବଡ଼ ପରିବର୍ତ୍ତନ, ରାଜ୍ୟର କେଉଁ ଜିଲ୍ଲାରେ ମିଳୁଛି ଶସ୍ତା ପେଟ୍ରୋଲ-ଡିଜେଲ

ମା’ଙ୍କ ପୂଜା ସରିବା ପରେ ୩ ଦିନ ଧରି ଚନ୍ଦ୍ରପଡ଼ା ଗାଁରେ ଏହି ପରି ନିଆରା ବଳଦ ନାଚ  ଆୟୋଜନ ହୋଇଥାଏ । ତାହାକୁ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଶତାଧିକ ଭକ୍ତଙ୍କର ସମାଗମ ହୋଇଛି । ଦୁର୍ଗାପୂଜାର ଏହି ପୁରାତନ ଐତିହ୍ୟ ବଳଦନାଚ ଲୋକମାନଙ୍କ ମନରେ ଭକ୍ତି ଓ ଶ୍ରଦ୍ଧା ଆଣିଦେଇଥାଏ । ଏଥର ବଳଦମାନେ ଡିଜେ ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ପ୍ରକୃତରେ ବଳଦମାନଙ୍କୁ ରଙ୍ଗ ବେରଙ୍ଗର କପଡାରେ ସଜେଇ ପୀଠକୁ ଅଣା ଯାଇଥିଲା । ମାଲିକମାନେ ବଳଦକୁ ଧରି ନିଜେ ନାଚ କରିଥିଲେ ଆଉ ବଳଦକୁ ପଡିଆରେ ବୁଲାଇଥିଲେ ।