Archana Nag: କୋର୍ଟରେ ହାଜର ହେଲେ ଅର୍ଚ୍ଚନା, ଗଣମାଧ୍ୟମକୁ ଦେଲେ ଏଭଳି ନିର୍ଦ୍ଦେଶ
Advertisement

Archana Nag: କୋର୍ଟରେ ହାଜର ହେଲେ ଅର୍ଚ୍ଚନା, ଗଣମାଧ୍ୟମକୁ ଦେଲେ ଏଭଳି ନିର୍ଦ୍ଦେଶ

ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେନି। କିନ୍ତୁ ଖବର ପ୍ରସାରଣ କରିବାକୁ ମନା କରିଦେଲେ। ତଦନ୍ତ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ। 

ପ୍ରତିକାତ୍ମକ ଫଟୋ

Archana Nag: ଭୁବନେଶ୍ୱର: ଗିରଫ ପରେ ଆଜି ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ। କଡ଼ା ସୁରକ୍ଷା ମଧ୍ୟରେ କମିସନରେଟ ପୋଲିସ ଆଜି ଅର୍ଚ୍ଚନାଙ୍କୁ ଆଣି କୋର୍ଟରେ ହାଜର କରିଥିଲେ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି। ସେପଟେ ଜଗବନ୍ଧୁଙ୍କ ପାଇଁ ଜାମିନ ଆବେଦନ କରିପାରନ୍ତି ତାଙ୍କ ଓକିଲ। ଜଗବନ୍ଧୁଙ୍କ ବିରୋଧରେ ୧୬ଟି ଦଫା ଲାଗିଛି। ତେବେ ଅର୍ଚ୍ଚନାଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ଭିଡ଼ ଜମି ରହିଥିଲା। 

ସେପଟେ କୋର୍ଟରେ ହାଜର ହେବା ପୂର୍ବରୁ ଗଣମାଧ୍ୟମରେ ତାଙ୍କ ବୟାନ ରଖିଥିଲେ ଅର୍ଚ୍ଚନା। ସେ ତାଙ୍କ ବୟାନରେ କହିଥିଲେ କି ମୋ ଖବର ପ୍ରସାରଣ କରନ୍ତୁ ନାହିଁ। ମୋ ବାବଦରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ, ତଥ୍ଯ ଓ ପ୍ରମାଣ ବିନା ଖବର ପ୍ରକାଶ କରନ୍ତୁ ନାହିଁ। କୋର୍ଟରେ ହାଜର ବେଳେ ଗଣମାଧ୍ୟମକୁ କହିଲେ ଅର୍ଚ୍ଚନା ନାଗ । ତେବେ ଅର୍ଚ୍ଚନା ଏହା କଣ ପାଇଁ କହିଲେ ତାହା ନେଇ କୌଣସି ସତ୍ୟତା ଜଣାପଡ଼ିନାହିଁ। 

ସୂଚନା ଥାଉକି ୨୦୧୬ରେ ଘର ଭଡା ନେଇ ଭୁବନେଶ୍ୱରରେ ରହୁଥିବା ଅର୍ଚ୍ଚନା ୨୦୨୦ ବେଳକୁ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ । ମାତ୍ର ୫ବର୍ଷରେ ଏତେ ଟଙ୍କାର ସମ୍ପତ୍ତି ସେ କେମିତି ଉପାର୍ଜନ କଲେ ତାର ହିସାବ ଖୋଜିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତ ୬ମାସ ଭିତରେ ଏଥିରେ ୫ କୋଟି ଟଙ୍କା ନେଣଦେଣ ହୋଇଥିବା ଜଣାପଡିଛି । ପ୍ରତି ଆକାଉଣ୍ଟରେ ହୋଇଥିବା ବଡ ବଡ ପରିମାଣର ଟଙ୍କା ନେଣଦେଣ ଏବେ ପୋଲିସ ସ୍କାନରରେ।

ସେପଟେ ତଦନ୍ତ ପାଇଁ ଖୁବଶୀଘ୍ର ଇଡ଼ିକୁ ହସ୍ତାନ୍ତର କରିବ ପୋଲିସ।  ଏହି କ୍ରମରେ କମିଶନରେଟ ପୋଲିସ ପକ୍ଷରୁ ଅର୍ଚ୍ଚନାଙ୍କ ଏଫଆଇଆର ଇଡିକୁ ହସ୍ତାନ୍ତର କରାଯିବ । ଏଫଆଇଆରକୁ ତର୍ଜମା କରିବା ପରେ ଇଡି ଏହାର ତଦନ୍ତ କରିବ। ଅର୍ଚ୍ଚନାଙ୍କ ବିରୋଧରେ ପୀଡିତା ଖଣ୍ଡଗିରି ଥାନାରେ ଦେଇଥିବା ଏତଲା ସହିତ ନୟାପଲ୍ଲୀ ଥାନାରେ ପ୍ରଯୋଜକ ଅକ୍ଷୟ ପରିଜା ଦେଇଥିବା ଏତଲାକୁ ତର୍ଜମା କରିବା ପାଇଁ ଇଡି କପି ମଗାଇଥିବା ସୂଚନା ମିଳିଛି । ଏହାସହ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟର ଖୋଳତାଡ କରିବ ଇଡି ।

ଅର୍ଚ୍ଚନାଙ୍କୁ ଅର୍ଥ ଦେଇଥିବା କୌଣସି ଲୋକଙ୍କ ନାଁ ଯଦି ଏଥିରେ ସାମିଲ ହୁଏ ତେବେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବ ଇଡି । କେତେ କ୍ୟାସ କେତେ ଅନଲାଇନ ଟ୍ରାଞ୍ଜାକ୍ସନ ହୋଇଛି। କାହା କାହା ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି। ଯଦି ଆକାଉଣ୍ଟକୁ ଅର୍ଥ ଆସିନଥାଏ ତେବେ ଅର୍ଚ୍ଚନାଙ୍କ ଘରେ ଡେକୋରେଟ କାର୍ଯ୍ୟ କରିଥିବା ଏଜେନ୍ସିକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ।