1.Budget Session: ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ବଡ଼ ବୟାନ। ଗୃହରେ ବିଶୃଙ୍ଖଳା ବରଦାସ୍ତ କରାଯିବନି ବୋଲି ଗଣମାଧ୍ୟମ ଆଗରେ ସେ ପ୍ରକାଶ କରିଛନ୍ତି। ବିରୋଧୀ ଗଠନ ମୂଳକ ପରାମର୍ଶ ଦେଲେ ତାହା ଉପାଦେୟ ହେବ। ତେବେ ଫେବୃଆରୀ ୧୩ରୁ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ, ୧୭ରେ ଆଗତ ହେବ ବଜେଟ।
2. Naba Das Death Case: ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ(CBI) ତଦନ୍ତ ଝିଅ ଦୀପାଳି ଦାବି କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଏ ନେଇ ମୁହଁ ଖୋଲିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଏହି ମାମଲାରେ ତଦନ୍ତ ପ୍ରକ୍ରିୟା କ'ଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ, ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସିବ।
3.Earthquake:ନୂଆଦିଲ୍ଲୀ: ଭୂମିକମ୍ପର ପ୍ରବଳ କମ୍ପନରେ ପୁଣି ଥରେ ପୃଥିବୀ ଥରି ଉଠିଛି। ଆଜି ସକାଳେ ଫିଲିପାଇନ୍ସରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ସକାଳେ କେନ୍ଦ୍ରୀୟ ଫିଲିପାଇନ୍ସରେ ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଏବଂ ୫.୯ ତୀବ୍ରତା ବିଶିଷ୍ଟ ରହିଥିଲା। ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ୍ ସିସମୋଲୋଜି (PHIVOLCS) ଏକ ବୁଲେଟିନରେ ଭୂମିକମ୍ପକୁ ନିଶ୍ଚିତ କରି କହିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନରୁ 10 କିଲୋମିଟର (6 ମାଇଲ) ତଳେ ଥିଲା । ଏହା ଲେଟେ ପ୍ରଦେଶର ସାନ ଫ୍ରାନ୍ସିସ୍କୋ ସହର ନିକଟରେ କେନ୍ଦ୍ରୀଭୂତ ଥିଲା। ସଂସ୍ଥା ପ୍ରାୟ ୪୫ଟି ଭୂମିକମ୍ପ ରେକର୍ଡ କରିଛି।
4.hyderbad crime:ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ମାମଲା ସାରା ଦେଶକୁ ଚକିତ କରିଦେଇଥିଲା। ତେଲେଙ୍ଗାନାର ହାଇଦ୍ରାବାଦରୁ ଏବେ ସମାନ ଏକ ମାମଲା ସାମ୍ନାକୁ ଆସିଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ପୂର୍ବତନ ସେନା କର୍ମଚାରୀ ଏବଂ ବର୍ତ୍ତମାନ ସହରରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରି ତାଙ୍କ ଶରୀରର ଅଂଶଗୁଡ଼ିକୁ ପ୍ରେସର କୁକରରେ ରୋଷେଇ କରିଦେଇଥିବା ଭଳି ଛାତିଥରା ଘଟଣା ଏବେ ସାମ୍ନାକୁ ଆସିଛି।
5.S Jaishankar: ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଏହି ସମୟରେ ଏସ୍ ଜୟଶଙ୍କର ବୁଧବାର କହିଛନ୍ତି ଯେ ନୂଆଦିଲ୍ଲୀ ଆମେରିକା ସମେତ ବିଦେଶରେ 'ଅବୈଧ ଭାବରେ' ରହୁଥିବା ଭାରତୀୟ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ। ସେ କହିଥିଲେ ଯେ ଏହି ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ନୀତିଗତ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଏ ବିଷୟରେ ସ୍ପଷ୍ଟ ଭାବରେ ଅବଗତ କରାଯାଇଛି। ତାଙ୍କ ଶପଥ ଗ୍ରହଣ ସମାରୋହରେ, ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ଅବୈଧ ଭାବରେ ରହୁଥିବା ନାଗରିକମାନଙ୍କୁ ଫେରାଇବା ବିଷୟରେ କହିଥିଲେ। ସେହି ସମୟରେ, ଏସ୍ ଜୟଶଙ୍କର ୱାଶିଂଟନ ଡିସିରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ କହିଥିଲେ ଯେ ଭାରତ ଅବୈଧ ପ୍ରବାସକୁ ଦୃଢ଼ ବିରୋଧ କରେ। ଏହା ପ୍ରତିଷ୍ଠା ପାଇଁ ଭଲ ନୁହେଁ ଏବଂ ଏହା ଅନେକ ବେଆଇନ କାର୍ଯ୍ୟକଳାପକୁ ମଧ୍ୟ ପ୍ରେରଣା ଦିଏ।
6.Weather Updates: ଧିରେ ଧିରେ ହଜିବାକୁ ବସିଲାଣି ଶୀତ। ମାଘ ମାସରେ ଆଉ ହାଡ଼ ଭଳି ଶୀତ ହେଉନାହିଁ। ରେକର୍ଡ ଭାଙ୍ଗୁଛି ତାତି। ଚଳିତ ବର୍ଷ ଜାନୁଆରୀ ମାସରେ ସର୍ବକାଳୀନ ରେକର୍ଡ କରିଛି ତାତି। ସ୍ୱଭାବିକ ଠାରୁ 5 ଡିଗ୍ରୀ ଉପରେ ରହିଛି ତାପମାତ୍ରା। କୋରାପୁଟରେ ବୁଧବାର ଦିନରେ ୩୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଏହାପୂର୍ବରୁ କୋରାପୁଟରେ ୨୦୦୯ ମସିହା ଜାନୁଆରୀ ମାସରେ ସର୍ବାଧିକ ୩୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏଭଳି ସ୍ଥିତିକୁ ଦେଖି ୨୦୦୯ ପରିସ୍ଥିତି ଉପୁଜିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।
7.Rail Accident: ଟ୍ରେନରେ ଅଗ୍ନିକାଣ୍ଡ ହୋଇଛି ବୋଲି ଛାନିଆ ହୋଇ ଟ୍ରାକ୍କୁ ଡେଇଁ ପଡ଼ିବାରୁ ପୁଷ୍ପକ ଏକ୍ସପ୍ରେସ୍ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଛି କର୍ଣ୍ଣାଟକ ଏକ୍ସପ୍ରେସ। ଏହାଦ୍ୱାରା ୧୨ ଜଣଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇଠାରୁ ୪୦୦ କିଲୋମିଟର ଦୂର ଜଳଗାଓଁଠାରେ ଏହି ଦୁର୍ଘଟଣା ଘଟିଛି।
8.Reliance Jio Coin: ଭାରତର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ ତାଙ୍କ କମ୍ପାନୀ ରିଲାଏନ୍ସ ଜିଓ ମାଧ୍ୟମରେ ବ୍ଲକଚେନ୍ ଏବଂ ୱେବ୍3 ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ପାଇଁ ପଲିଗନ୍ ଲ୍ୟାବ୍ସ (Polygon Labs) ସହିତ ସହଭାଗୀତା କରିଛନ୍ତି। ଏହି ସହଯୋଗର ଲକ୍ଷ୍ୟ ଜିଓର ଡିଜିଟାଲ୍ ସେବାକୁ ଆହୁରି ସୁଦୃଢ଼ କରିବା।ଜିଓ କଏନ୍ ହେଉଛି ଏକ ପୁରସ୍କାର-ଭିତ୍ତିକ ଟୋକନ୍ ଯାହାକୁ ଉପଭୋକ୍ତାମାନେ ଜିଓ ପ୍ଲାଟଫର୍ମ ଦ୍ୱାରା ଡିଜାଇନ୍ କରାଯାଇଥିବା ବିଭିନ୍ନ ମୋବାଇଲ୍ କିମ୍ବା ଇଣ୍ଟରନେଟ୍-ଭିତ୍ତିକ ଆପ୍ ସହିତ ଜଡିତ ହୋଇ ରୋଜଗାର କରିପାରିବେ। ଏହି ଟୋକନ୍ ରିଲାଏନ୍ସ ମୋବାଇଲ୍ ରିଚାର୍ଜ, ରିଲାଏନ୍ସ ଷ୍ଟୋର, ଜିଓମାର୍ଟ ଏବଂ ରିଲାଏନ୍ସ ପେଟ୍ରୋଲ୍ ଷ୍ଟେସନରେ ସପିଂ ପାଇଁ ଉପଲବ୍ଧ ହେବ।
9.Ram Gopal Varma Jail: ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ସମସ୍ୟା ବଢ଼ିଯାଇଛି। ମୁମ୍ବାଇର ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟ ଏକ ଚେକ୍ ବାଉନ୍ସ ମାମଲାରେ ରାମ ଗୋପାଳ ବର୍ମାଙ୍କୁ ତିନି ମାସ ଜେଲଦଣ୍ଡ ଶୁଣାଇଛନ୍ତି। ଏହି ମାମଲା ବିଗତ ୭ ବର୍ଷ ଧରି ଚାଲିଥିଲା। ଯଦିଓ ଶୁଣାଣି ସମୟରେ ରାମ ଗୋପାଳ ବର୍ମା କୋର୍ଟରେ ଉପସ୍ଥିତ ନଥିଲେ।
10.Kapil Sharma Death Threat: ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ଖବର ମନରୁ ନ ଲିଭୁଣୁ ଆଉ ଜଣେ ଅଭିନେତାଙ୍କୁ ମିଳିଛି ହତ୍ୟା ଧମକ। ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ପାକିସ୍ତାନରୁ ଇମେଲ୍ ମାଧ୍ୟମରେ ହତ୍ୟା ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି। କପିଲଙ୍କ ବ୍ୟତୀତ ସୁଗନ୍ଧା ମିଶ୍ର, କୋରିଓଗ୍ରାଫର ରେମୋ ଡିସୁଜା ଏବଂ ରାଜପାଲ ଯାଦବଙ୍କୁ ମଧ୍ୟ ଧମକପୂର୍ଣ୍ଣ ଇମେଲ୍ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, 'ବିଷ୍ଣୁ' ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଇମେଲ୍ ଆସିଛି, ଯିଏ ଏହା ମଧ୍ୟ ଦାବି କରିଛନ୍ତି ଯେ ସେ ସମସ୍ତ ତାରକାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି।