Top 10 News Today: ଓଡ଼ିଆରେ ହେବ ସରକାରୀ କାମ ଏବଂ ପଢ଼ନ୍ତୁ ଦିନ ତମାମର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2321849

Top 10 News Today: ଓଡ଼ିଆରେ ହେବ ସରକାରୀ କାମ ଏବଂ ପଢ଼ନ୍ତୁ ଦିନ ତମାମର ୧୦ ବଡ଼ ଖବର

ଚୁଟକୀରେ ପଢିନିଅନ୍ତୁ ଦିନ ତମାମର ୧୦ ବଡ଼ ଖବର

Top 10 News Today: ଓଡ଼ିଆରେ ହେବ ସରକାରୀ କାମ ଏବଂ ପଢ଼ନ୍ତୁ ଦିନ ତମାମର ୧୦ ବଡ଼ ଖବର

H1. ଓଡ଼ିଆ ଭାଷାରେ ଡାକ୍ତରୀ ପାଠ
ଓଡ଼ିଆ ଭାଷାରେ ଏଣିକି ଡାକ୍ତରୀ ପାଠ ପଢ଼ିଯିବ। ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ଲେଖାଥିବା ପାଠ୍ୟ ପୁସ୍ତକକୁ ଅଭିଜ୍ଞ ଓଡ଼ିଆ ଅନୁବାଦକଙ୍କ ଦ୍ୱାରା ଅନୁବାଦ କରାଯିବ। ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର କାର୍ଯ୍ୟକାରୀତା ବାବଦରେ ସମୀକ୍ଷା କରିବାକୁ ଏକ  ବିଶେଷଜ୍ଞ କମିଟି ଗଠନ କରାଯାଇଛି। ୨୨ଜଣଆ ଏହି କମିଟିରେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ସାହୁଙ୍କୁ ଅଧ୍ୟକ୍ଷ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ଏକ ସ୍ୱଥନ୍ତ୍ର ୨୨ ଜଣିଆ କମିଟି ଗଠନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିର ନିଷ୍ପତ୍ତି ଅନୁସାରେ ଡାକ୍ତରୀ ପାଠକୁ ଅନୁବାଦ କରାଯିବ। ଅନୁବାଦ ପାଇଁ କେତେ ଅର୍ଥ ଆବଶ୍ୟକ, କେବେ ସୁଦ୍ଧା ଅନୁବାଦ ଶେଷ ହେବ ଏବଂ କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ସେ ନେଇ ସମ୍ପୃକ୍ତ କମିଟି ସରକାରଙ୍କୁ ରିପୋର୍ଟ ଦେବେ। 

H2. ଲୋକସେବା ଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ
ଲୋକସେବା ଭବନରେ ଆଜି ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ସେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି। ଲୋକସେବା ଭବନର ତୃତୀୟ ମହଲାରୁ ସେ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବ ଭବନକୁ ପାଛୋଟି ନେବାକୁ ସେଠାରେ ପହଞ୍ଚିବା ପରେ ତାଙ୍କୁ ପାଛୋଟି ନେବାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ବହୁ କ୍ୟାବିନେଟ୍ ମନ୍ତ୍ରୀ ଉପସ୍ଥିତ ଥିଲେ। ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆଇଏଏସ୍ ଏବଂ ଓଏଏସ୍ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭଗ୍ୟ ସ୍ୱାଗତ କରିଥିଲେ।

H3. ବଦଳିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ରୂପ
ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଜି ପ୍ରାୟ ୨୧ ଦିନ ପରେ ନିଜ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି। ଏହି ଅବସରରେ ବାସ୍ତୁ ଶାସ୍ତ୍ରବିତ୍‍ଙ୍କ ପରାମର୍ଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କଳେବର ବଦଳା ଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ  ଯେମିତି ବସୁଥିଲେ ଆଉ ସେମିତି ବସିବେ ନି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି। ପୁଣି ଯେଉଁ ଆସବାବ ସେ ବ୍ୟବହାର କରୁଥିଲେ ତାହାକୁ ବି ବାଜ୍ୟାପ୍ତ କରାଯାଇ ନୂଆ ଆସବାବ, ରଙ୍ଗରେ ସୁଶୋଭିତ ହୋଇଛିମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଧୁନିକୀକରଣ କାର୍ଯ୍ୟ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଲୋକସେବା ଭବନକୁ ପ୍ରବେଶ କରିଥିଲେ। ପ୍ରଥମେ ପାହାଚରେ ମୁଣ୍ଡିଆ ମାରି ସେ ନିଜ କର୍ତ୍ତବ୍ୟକୁ ଜନସାଧାରଣଙ୍କ ଉଦ୍ଦେଶ୍ୟୃରେ ସମର୍ପିତ କରିଥିଲେ। ଶପଥ ଗ୍ରହଣ ପରଦିନ ଯଦିଓ କାର୍ଯ୍ୟାଳୟକୁ ଆସିଥିଲେ କିନ୍ତୁ ଏଠାରେ ନବସି ସେ ରାଜ୍ୟ ଅତିଥି ଭବନରେ ବସିବାକୁ ଉଚିତ ମଣିଥିଲେ। ୨୧ ଦିନ ପରେ ଆଜି କାର୍ଯ୍ୟାଳୟର ରୂପରେଖ ବଦଳିଛି। 

H4. ବଦଳିଲେ ୪ ବରିଷ୍ଠ ଅଧିକାରୀ
ଲୋକସେବା ଭବନର ତୃତୀୟ ମହଲାରୁ ଆଜିଠୁ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୀର୍ଘ ୨୨ଦିନ ପରେ ଆଜି ପୂଜାର୍ଚ୍ଚନା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜିଠୁ ସିଏମଓ(ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ)ରେ ପ୍ରବେଶ କରିଛନ୍ତି। ଆଉ ଏପଟେ ନବୀନ ପଟ୍ଟନାୟକ ସରକାରରେ ସୁପର ମିନିଷ୍ଟର ଭଳି କାର୍ଯ୍ୟ ତୁଲାଉଥିବା ୪ ବରିଷ୍ଠ ଓଏଏସଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ବିଦା କରାଯାଇଛି। ଏହି ଅଫିସରମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ଫେରାଇ ନେଇଛି।

H5. ବିଜେଡି କର୍ପୋରେଟରଙ୍କ କଳିରେ ବାଜିଲା ଛାଟ
ଭୁବନେଶ୍ୱର ବିଜେଡିରେ ଆରମ୍ଭ ହୋଇଥିବା ରାଜନୀତିକ ଡ୍ରାମା ଦଳୀୟ ସଂଗଠନକୁ ଭାରି ପଡ଼ିଛି। ଆଭ୍ୟନ୍ତରୀଣ କନ୍ଦଳ ନ ଥମିବାରୁ ହସ୍ତକ୍ଷେପ କରିଛନ୍ତି ଭୁବନେଶ୍ୱର ବିଜେଡ଼ି ସଭାପତି ତଥା ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ। ବିଜେଡି କର୍ପୋରେଟରଙ୍କ କଳି ଦିନକୁ ଦିନ ବିସ୍ଫୋରକ ରୂପ ଧାରଣ କରୁଥିବାରୁ ଦଳୀୟ ସଂଗଠନ ତରଫରୁ ହୁଇପ୍‌ ଜାରି ହୋଇଛି। ଦଳୀୟ ଅନୁମତି ନନେଇ କେହି ଗଣମାଧ୍ୟମରେ କୌଣସି ପ୍ରକାର ବକ୍ତବ୍ୟ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି

H6.ଓଡ଼ିଆରେ ହେବ ସରକାରୀ କାମ
ଓଡ଼ିଶାରେ ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ସୁଗମ କରାଯିବ । ଏଥିନିମନ୍ତେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବ। ଓଡ଼ିଶାର ଅସ୍ମିତାକୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇ ନିର୍ବାଚନର ବୈତରଣୀ ପାର ହୋଇଥିବା ବିଜେପି ଆଜି ଏ ଦିଗରେ ପ୍ରଥମ ପଦକ୍ଷେପ ଉଠାଇଛି।

H7.ଶପଥ ନେଲେ ହେମନ୍ତ ସୋରେନ
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ଚମ୍ପାଇ ସୋରେନ ବୁଧବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ ରାଜଭବନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ହେମନ୍ତ ତୃତୀୟ ଥର ପାଇଁ ରାଜ୍ୟର ଦାୟିତ୍ୱ ଗ୍ରହଣ କରିଛନ୍ତି। 

H8.ହାଥରସ ଦଳାଚକଟା: ୨୦ ସେବକ ଗିରଫ
ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଦଳଚକଟା ମାମଲାରେ ବଡ଼ ଆକ୍ସନ ନେଇଛି ପୁଲିସ। ଏହି ମାମଲାରେ ପୁଲିସ ୨୦ ସେବାଦାରଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ଜାରି ରହିଛି। ମଙ୍ଗଳବାର ହାଥରସରେ ଭୋଲେ ବାବା ଆୟୋଜିତ ହୋଇଥିବା ସତ୍‌ସଙ୍ଗରେ ଦଳାଚକଟା ହୋଇ ୧୨୧ ଜଣ ପ୍ରାଣ ହରାଇଛନ୍ତି। ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର। ମାମଲାର ତଦନ୍ତ ପାଇଁ ପୁଲିସ ୭ଟି ଟିମ୍‌ ଗଠନ କରିଛି। ଏହି ଟିମ୍‌ ଏବେ ନାରାୟଣ ହରି ଓରଫ ଭୋଲେ ବାବାଙ୍କ ମୁଖ୍ୟ ସେବାଦାର ବେଦପ୍ରକାଶ ମଧୁକରଙ୍କୁ ଖୋଜୁଛି। ସେ ବର୍ତ୍ତମାନ ଫେରାର ଅଛନ୍ତି।

H9.ଟିମ୍ ଇଣ୍ଡିଆକୁ ମିଳିଲା ୱାଟର କାନନ ସାଲ୍ୟୁଟ 
ଟି-୨୦ ବିଶ୍ୱକପରେ ବିଜୟୀ ହୋଇ ଟିମ୍ ଇଣ୍ଡିଆ ଭାରତ ଫେରିବା ପରେ ଭବ୍ୟ ସ୍ୱାଗତ କରାଯାଇଛି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ମୁମ୍ବାଇରେ ହେଉଥିବା ବିଜୟ ପରେଡରେ ସାମିଲ ହୋଇଛନ୍ତି। ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଟିମ୍ ଇଣ୍ଡିଆର ଖେଳାଳି ଆସିଥିବା ବିମାନକୁ ପାଣି ପକାଇ (ୱାଟର କାନନ ସାଲ୍ୟୁଟ) ଜରିଆରେ ସ୍ୱାଗତ କରାଯାଇଥିଲା। ଏଭଳି ସ୍ୱାଗତ କୌଣସି ନୂଆ ବିମାନ କିମ୍ବା ନୂଆ ବିମାନବନ୍ଦରକୁ ଆସୁଥିବା ପ୍ରଥମ ବିମାନକୁ ଦିଆଯାଇଥାଏ। ସେହିଭଳି ବିମାନ ସେବା କ୍ଷେତ୍ରରେ ବିଶେଷ ଉପଲବ୍ଧି ହାସଲ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଏଭଳି ସ୍ୱାଗତ କରାଯାଇଥାଏ। କିନ୍ତୁ ଏସବୁ ବାଦ୍ ପ୍ରଥମଥର ପାଇଁ ବିଶ୍ୱବିଜେତା ଦଳ ଆସୁଥିବା ବିମାନକୁ ଏଭଳି ସ୍ୱାଗତ କରାଯାଇଛି। 

H10.ଚାମ୍ପିଅନ ଟିମକୁ ଦେଖିବାକୁ ମୁମ୍ବାଇରେ ଜନସମୂଦ୍ର
ମ୍ବାଇ ମରିନ୍ ଡ୍ରାଇଭରୁ ୱାଙ୍ଖଡେ ଷ୍ଟାଡିୟମ୍। ଟିମ୍ ଇଣ୍ଡିଆର ଭିକଟ୍ରି ପରେଡ୍। ବିଶ୍ୱକପ୍ ଟ୍ରଫି ସହ ବିଶ୍ୱବିଜୟୀ ଟିମ୍ ମନାଉଛି ବିଜୟ ଉତ୍ସବ। ଆଉ, ଭାରତୀୟ କ୍ରିକେଟ୍ ଟିମର ଏହି ଗ୍ରାଣ୍ଡ ୱିନିଂ ସେଲିବ୍ରେସନରେ ସାମିଲ ହୋଇଛି ସାରା ମୁମ୍ବାଇ। ଆଖପାଖ ରାଜ୍ୟରୁ ବି ଲୋକ ପହଁଚିଛନ୍ତି। ରାସ୍ତାକୁ ଓହ୍ଲାଇ ଆସିଛନ୍ତି ପିଲାଠୁ ବୁଢା। ସମସ୍ତଙ୍କୁ ଚଢିଛି କ୍ରିକେଟ୍ ଫିଭର। ସମୁଦ୍ର କୂଳ, ରାସ୍ତା ଘାଟ ସବୁ ଜାମ୍। ତିନି ଦିନ ବିଳମ୍ବ ପରେ ଭାରତୀୟ କ୍ରିକେଟ୍ ଦଳର ଶେଷରେ ଘର ବାହୁଡ଼ା ହୋଇଛି। ବାତ୍ୟା ପ୍ରଭାବିତ ବାର୍ବାଡସ୍‌ରୁ ବାହାରି ଆଜି ସକାଳେ ଭାରତୀୟ ଦଳ ନୂଆଦିଲ୍ଲୀରେ ପହଞ୍ଚିଛି। ଗୁରୁବାର ଦିନ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଘର ଫେରିବାରେ ସଫଳ ହୋଇଛି।