Puri News: ଆଜିଠୁ ଭିତର ଚନ୍ଦନ ଯାତ୍ରା
Advertisement
Article Detail0/zeeodisha/odisha2271011

Puri News: ଆଜିଠୁ ଭିତର ଚନ୍ଦନ ଯାତ୍ରା

ଜଳକ୍ରୀଡା ଏକାଦଶୀରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବ। ଯାତଭୋଗ ଲାଗି ହେବା ପରେ ଜଳକ୍ରୀଡ଼ା ନୀତି ସମ୍ପନ୍ନ ହେବ। 

Puri News: ଆଜିଠୁ ଭିତର ଚନ୍ଦନ ଯାତ୍ରା

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ୨୧ ଦିନର ବାହାର ଚନ୍ଦନ ଯାତ୍ରା ଶେଷ ପରେ ଆଜି ନରେନ୍ଦ୍ର ପୁଷ୍କରିଣୀରେ ହଳଦୀ ପାଣି ଖେଳ ଶେଷ ହୋଇଛି। ଏଥିପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ, ଶ୍ରୀକୃଷ୍ଣ, ପଞ୍ଚ ମହାଦେବ ନରେନ୍ଦ୍ରରେ ରାତିରେ ଚାପ ଖେଳିବା ପରେ ହଳଦୀ ପାଣି ଖେଳି ବାହୁଡିଛନ୍ତି। ମହାପ୍ରଭୁଙ୍କ ସହ ଅନ୍ୟ ଦେବଦେବୀମାନେ ଯିବା ବେଳେ ବଡ଼ ଦାଣ୍ଡ ହରିବୋଲୋ, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା। ଆଜିଠାରୁ ଶ୍ରୀମନ୍ଦିର ଭିତରେ ୨୧ ଦିନ ଧରି ଭିତର ଚନ୍ଦନଯାତ୍ରା ଆରମ୍ଭ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। 

ପରମ୍ପରା ଅନୁଯାୟୀ ଆସନ୍ତାକାଲି ଠାରୁ ମହାପ୍ରଭୁ ଚନ୍ଦନ ବେଶରେ ସଜେଇ ହୋଇ ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ। ଭୋଗ ମଣ୍ଡପ ନୀତି ସମ୍ପନ୍ନ ପରେ ମହାପ୍ରଭୁ ବେଶ ମଇଲମ ଓ ଆଲଟଲାଗି ହୋଇ ଚନ୍ଦନଘରକୁ ବିଜେ କରିବେ। ମୁଦିରସ୍ତ, ପତିମହାପାତ୍ର, ପୂଜାପଣ୍ଡା ସେବକମାନେ ଚନ୍ଦନଲାଗି କରି ମହାପ୍ରଭୁଙ୍କ ଚନ୍ଦନ ବେଶ କରିବେ। ଏହି ଅବସରରେ ମହାପ୍ରଭୁଙ୍କଠାରେ ଗଭା, ଅଳକା, ଚଉସରି, ଚୂଳ ଆଦି ଲାଗି କରାଯିବ। ଭିତର ଚନ୍ଦନ ସମୟରେ ଜଳକ୍ରୀଡ଼ା ମଣ୍ଡପରେ ଜଳକ୍ରୀଡ଼ା ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ, ଏପରି ୪ ଥର ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସମେତ ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ ଶ୍ରୀକୃଷ୍ଣ ଓ ପଞ୍ଚ ମହାଦେବ ଜଳକ୍ରୀଡ଼ା କରିବେ। ଜଳକ୍ରୀଡା ଏକାଦଶୀରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବ। ଯାତଭୋଗ ଲାଗି ହେବା ପରେ ଜଳକ୍ରୀଡ଼ା ନୀତି ସମ୍ପନ୍ନ ହେବ।