Trending Photos
odisha news: ସୁନ୍ଦରଗଡ଼: ସୁନ୍ଦରଗଡ଼ରୁ ଆସିଲା ଛାତିଥରାଇବା ଭଳି ଚିତ୍ର। ସୀମା ଲଂଘିଲା ଅମାନବିକତା। ୮ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ନିର୍ଦ୍ଧୁମ ମାଡ଼ ମାରିଥିବା ଘଟଣାରେ ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଦୁର୍ବୃତ୍ତ କେବଳ ବଙ୍ଗୀୟ ମିସ୍ତ୍ରୀଙ୍କୁ ନୁହେଁ, ବରଂ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ କର୍ମଚାରୀ ଓ ସାମ୍ବାଦିକଙ୍କୁ ମଧ୍ୟ ବାଦ ଦେଇ ନାହାନ୍ତି। ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଆଣି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି କାଣ୍ଡ ଭିଆଇଥିବା ନେଇ ସୂଚନା ରହିଛି।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ସକାଳେ ସୁନ୍ଦରଗଡ଼ ଟାଉନ ଥାନା ମିସନ ରୋଡ ଅଞ୍ଚଳରେ ଏକ ଘରେ ଜଣେ ମହିଳା ଗାଧୋଇବାକୁ ଯାଉଥିବା ସମୟରେ ମୁର୍ସିଦାବାଦର ଜଣେ ଶ୍ରମିକ ତାଙ୍କୁ ଟାଣି ନେଇ ଅସଦାଚରଣ କରିଥଇଲେ। ମହିଳା ଜଣକ ଚିତ୍କାର କରିବା ସମୟରେ ଉକ୍ତ ଶ୍ରମିକ ଜଣକ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ। ଏହି ସମୟରେ ଘର ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥା ହୋଇ ପଡିବାରୁ ଉକ୍ତ ଶ୍ରମିକଙ୍କୁ ମହିଳାଙ୍କ ପରିବାର ଲୋକେ ଡାକ୍ତରଖାନାରେ ଚିକିତ୍ସା କରାଇ ଛାଡ଼ି ଦେଇଥିଲେ। ଏନେଇ ପୋଲିସ ସୂଚନା ପାଇ ସେଠାରେ ପହଞ୍ଚି ତନାଘନା କରିଥିଲା।
ମାଡ ଖାଇଥିବା ଶ୍ରମିକ ଜଣକ ଅନ୍ୟ ଶ୍ରମିକଙ୍କ ନିକଟକୁ ଚାଲି ଯାଇଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଯୁବକ ସଂଘବଦ୍ଧ ହୋଇ ପୁଣି ଥରେ ସେହି ଶ୍ରମିକଙ୍କୁ ଆଣି ବାଡେଇଥିଲେ। ଏପରିକି ଅନ୍ୟ ସାଥୀ ଶ୍ରମିକଙ୍କୁ ମଧ୍ୟ ନିସ୍ତୁକ ପିଟିଥିଲେ। ଭିଡ଼ ହିଂସାରୁ କିଛି ବୟସ୍କ ଶ୍ରମିକ ମଧ୍ୟ ବର୍ତ୍ତିନଥିଲେ। ଶ୍ରମିକମାନଙ୍କୁ ଉଲଗ୍ନ କରି ଅମାନୁଷିକ ଭାବେ ମାଡ଼ ମାରିଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ପଡିନଥିଲା। ଅଭିଯୁକ୍ତ ସହ ୮ ଜଣ ଶ୍ରମିକଙ୍କୁ କେବଳ ଅନ୍ତଃବସ୍ତ୍ର ପିନ୍ଧାଇ ଲୁହାତାରରେ ହାତକୁ ବାନ୍ଧି ରାଜରାସ୍ତାରେ ପିଟିପିଟି ଚଳାଇବା ସହ ସହର ସାରା ବୁଲାଇବାକୁ ଉଦ୍ୟମ କରାଯାଇଥିଲା।
ଏହି ସମୟରେ ପୋଲିସ ହସ୍ତକ୍ଷେପ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କୁ ଆକ୍ରୋଶରୁ ରକ୍ଷା ପାଇ ନଥିଲେ। ପୋଲିସ ଓ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ ଠେଲାପେଲା କରିଥିଲେ। ସାମ୍ବାଦିକମାନଙ୍କ କ୍ୟାମେରାକୁ ଛଡାଇନେବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ଶ୍ରମିକମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ସେପଟେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଥିବା ସୂଚନା ରହିଛି। ଅଭିଯୋଗ କ୍ରମେ ପୋଲିସ ତଦନ୍ତକୁ ଜୋରଦାର କରିଛି। ସେପଟେ ରାସ୍ତା ଓ ଥାନା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଶ୍ରମିକଙ୍କ ଉପରେ ଅମାନବୀୟ ଆକ୍ରମଣ କରିଥିବା ଯୁବକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି।