Chilika Lake: ବନ୍ଦ ହୋଇଯିବ ଚିଲିକାର ଆଇଁଷ ଢାବା! ଅନ୍ଧାରରେ ଜୀବନ
Advertisement
Article Detail0/zeeodisha/odisha1527123

Chilika Lake: ବନ୍ଦ ହୋଇଯିବ ଚିଲିକାର ଆଇଁଷ ଢାବା! ଅନ୍ଧାରରେ ଜୀବନ

Chilika Lake News: ଚିଲିକାର ଉନ୍ନୟନ କର୍ତ୍ତୃପକ୍ଷ ଚିଲିକାର ବିକାଶ ପାଇଁ ବର୍ଷକୁ ଗୋଟିଏ ଦୁଇଟି ବୈଠକ ତାରକା ହୋଟେଲମାନଙ୍କରେ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ହୋଇଛି । ଯଦି ସେହି ବୈଠକ ଗୋଟିଏ ମତ୍ସ୍ୟଜୀବୀ ଗ୍ରାମରେ କରାଯାଆନ୍ତା ତେବେ ମତ୍ସ୍ୟଜୀବୀ ସେମାନଙ୍କ ଦୁଃଖ ବଡ଼ବଡ଼ିଆ ବାବୁଙ୍କ ପାଖରେ କହିପାରନ୍ତା ବୋଲି କହିଛନ୍ତି । 

Chilika Lake: ବନ୍ଦ ହୋଇଯିବ ଚିଲିକାର ଆଇଁଷ ଢାବା! ଅନ୍ଧାରରେ ଜୀବନ

Chilika Lake:  ଦାରିଦ୍ର‌୍ୟ ସୀମାରେଖ ତଳେ ବସବାସ କରୁଥିବା ପରିବାର ଗୁଡ଼ିକୁ କାମଧନ୍ଦା ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଗୁଡ଼ିଏ ଯୋଜନା ହାତକୁ ନେଇଛନ୍ତି । ମାତ୍ର ଅମଲାତାନ୍ତ୍ରିକ ମାନଙ୍କ ଆନ୍ତରିକତାର ଅଭାବ ଓ ରାଜନେତାଙ୍କ ଉଦାସିନତା ଯୋଗୁଁ ଚିଲିକା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀ ପରିବାର ଏବେ ନିଜର କୂଳବେଉସା ଛାଡ଼ି ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯିବାକୁ ଆରମ୍ଭ କଲେଣି। ଚିଲିକାରେ ଚିଙ୍ଗୁଡ଼ି ମାଫିଆଙ୍କ ପ୍ରାର୍ଦୁଭାବ, ଜିଲ୍ଳା ପ୍ରଶାସନର ବିଭିନ୍ନ କଟକଣା ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପଡ଼ିଲେଣି ମତ୍ସ୍ୟଜୀବୀ।
 
ଚିଲିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି, ସରୁ ଜାଲ ତଥା ମଶାରୀ ଜାଲ, ଅଲିମ୍ ଜାଲ, ଚିଙ୍ଗୁଡ଼ି ମାଫିଆଙ୍କ ପ୍ରାର୍ଦୁଭାବରେ ଏବେ ଅଣନିଃଶ୍ୱାସୀ ହୋଇପଡ଼ିଲେଣି ଚିଲିକାର ମତ୍ସଜୀବୀ । ଗୋଟିଏ ପଟେ ଚିଙ୍ଗୁଡ଼ି ଘେରି ଓ ଅଲିମ୍ ଜାଲ, ଅନ୍ୟପଟେ ନଳବଣ ଯୋଗୁଁ ଚିଲିକାରେ ଦିନକୁ ଦିନ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଫଳରେ ମସ୍ୟଜୀବୀମାନେ ଚିଲିକାରେ ଦିନ ତମାମ ମାଛ ମାରୁଥିଲେ ମଧ୍ୟ ମଜୁରୀ ଉଠିବା ସମ୍ଭବପର ହୋଇପାରୁନି । ଏହାକୁ ନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଥିସହ ରାଜ୍ୟ ସରକାର ଘୋଷଣା କରିଥିବା ଲାଇସେନ୍ସ ଭୁକ୍ତ ମେସିନ୍‌ଡ଼ଙ୍ଗା ମତ୍ସ୍ୟଜୀବୀମାନଙ୍କୁ ରାସନ୍ କାର୍ଡ଼ରୁ ବଞ୍ଚିତ କରିବା ଘଟଣାକୁ ଘୋର ବିରୋଧ କରିଛନ୍ତି । 

ସେହିପରି ଚିଲିକା ଦିନକୁ ଦିନ ପୋତି ହୋଇଯାଉଥିଲେ ମଧ୍ୟ ଏହାର ପୁନଋଦ୍ଧାର କରିବାକୁ କେହିବି ପ୍ରୟାସ କରୁନଥିବା ଜଳଜଳ ଦେଖିବାକୁ ମିଳୁଛି । ଯାହାର ଫଳ ସ୍ୱରୂପ ୧୨ଶହ ବର୍ଗ କିଲୋମିଟର ବିଶିଷ୍ଟ ଚିଲିକା ଏବେ ୮ଶହ ବର୍ଗ କିଲୋମିଟରରେ ପହଞ୍ଚିଲାଣି। ଚିଲିକାର ଉନ୍ନତି ପାଇଁ ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ସେସବୁ ଯୋଜନା ବାସ୍ତବରେ କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ଦେଖିବାକୁ କେହିନାହାନ୍ତି । ଚିଲିକାର ଉନ୍ନୟନ କର୍ତ୍ତୃପକ୍ଷ ଚିଲିକାର ବିକାଶ ପାଇଁ ବର୍ଷକୁ ଗୋଟିଏ ଦୁଇଟି ବୈଠକ ତାରକା ହୋଟେଲମାନଙ୍କରେ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ହୋଇଛି । ଯଦି ସେହି ବୈଠକ ଗୋଟିଏ ମତ୍ସ୍ୟଜୀବୀ ଗ୍ରାମରେ କରାଯାଆନ୍ତା, ତେବେ ମତ୍ସ୍ୟଜୀବୀ ସେମାନଙ୍କ ଦୁଃଖ ବଡ଼ବଡ଼ିଆ ବାବୁଙ୍କ ପାଖରେ କହିପାରନ୍ତା ବୋଲି କହିଛନ୍ତି । ଦିନକୁ ଦିନ ଚିଲିକାରେ ନଳଘାସର ପରିମାଣ ବଢିବାରେ ଲାଗିଥିବା ବେଳେ, ଚିଙ୍ଗୁଡ଼ି ମାଫିଆଙ୍କ ପ୍ରାର୍ଦୁଭାବ ଯୋଗୁ ହତାସ ମଧ୍ୟରେ ଗତି କରୁଛନ୍ତି ମତ୍ସ୍ୟଜୀବୀ। 

ଗୋଟିଏ ପଟେ ସିଡ଼ିଏ କର୍ତ୍ତୃପକ୍ଷଙ୍କ ଦାଦାଗିରି ତ ଅନ୍ୟପଟେ ରାଜ୍ୟ ସରକାରଙ୍କ ଆନ୍ତରିକତା ଯୋଗୁଁ ଏବେ ଚିଲିକା ମତ୍ସ୍ୟଜୀବୀ ପରିବାର ଏବେ କର୍ମ ସନ୍ଧାନରେ ଅନ୍ୟ ରାଜ୍ୟକୁ ବାହରିଲେଣି । ସେହିପରି ଚିଲିକାର ମୁହାଣ ଗୁଡ଼ିକ ପୋତି ହୋଇଯିବାରୁ ସମୁଦ୍ରରୁ ମାଛ ମଧ୍ୟ ଠିକ୍ ଭାବେ ଚିଲିକା ମଧ୍ୟକୁ ଆସି ପାରୁନାହାଁନ୍ତି । ଯାହାର ଫଳ ସ୍ୱରୂପ ଚିଲିକାରେ ଚିଙ୍ଗୁଡ଼ି, କଙ୍କଡ଼ା, ଖଇଁଗା, ଡ଼ାଙ୍ଗଳା, ଭେକଟି, କୁଣ୍ଡଳ, ଖୁରାଣ୍ଟ ଭଳି ମାଛ ଦର ଏବେ ଆକାଶଛୁଆଁ ହେବାରେ ଲାଗିଛି । ଯାହାଫଳରେ ହୋଟେଲ ମାଲିକ ମାନେ ମଧ୍ୟ ଭବିଷ୍ୟତରେ ଏହି ସମସ୍ୟା ଦେଇ ଗତି କରିବା ସମ୍ଭାବନା ରହିଛି । ପରିସ୍ଥିତି ଏମିତି ହୋଇପାରେ ଦର ଅଧିକ ରହିଲେ ବିନା ଆଇଁଷରେ ଢାବା ମଧ୍ୟ ଚଲାଇବେ ହୋଟେଲ ମାଲିକ ମାନେ। ଡ଼ଙ୍ଗା ନେଇ ଚିଲିକାକୁ ମାଛ ମାରିବାକୁ ଯାଉଥିବା ଧୀବର ମାନେ ନିଜର ମଜୁରି ଉଠୁନଥିବା କହିଛନ୍ତି । ଯାହା ଫଳରେ ମତ୍ସ୍ୟଜୀବୀମାନେ ବାହାର ରାଜ୍ୟକୁ କାମଧନ୍ଦା କରିବାକୁ ଯିବା ଆରମ୍ଭ କରିଦେଲେଣି । ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ନିହାରି ଜରୁରୀ ହୋଇପଡ଼ିଲାଣି ।

Also Read: ହୀରାକୁଦରେ ବଢିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା, ଚଳିତ ବର୍ଷ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ଆଗମନ

Also Read: Balangir: ଜିଲ୍ଲା ପରିଷଦ ବୈଠକ ବେଳେ ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ, ଭିଡ଼ିଓ ଭାଇରାଲ