କାହିଁକି 'ହାତ'ରୁ ଖସିଗଲେ ପ୍ରଶାନ୍ତ କିଶୋର? ମ୍ୟାଡମ ଦେଇଥିଲେ ବଡ଼ ଦାୟିତ୍ୱ
Advertisement

କାହିଁକି 'ହାତ'ରୁ ଖସିଗଲେ ପ୍ରଶାନ୍ତ କିଶୋର? ମ୍ୟାଡମ ଦେଇଥିଲେ ବଡ଼ ଦାୟିତ୍ୱ

ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏମପାୱାର ଆକ୍ସନ ଗ୍ରୁପରେ ଯୋଗଦେବା ପାଇଁ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଆହ୍ୱାନର ସମୀକ୍ଷା କରିବା ପାଇଁ ଏହି କଂଗ୍ରେସ ପକ୍ଷରୁ ଏହି କମିଟି ଗଠନ କରାଯାଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି। ୧୩୦ରୁ ଅଧିକ ବର୍ଷ ପୁରୁଣା ରାଜନୈତିକ ଦଳରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଯୋଗଦେବେ ନାହିଁ। ବହୁ କଳ୍ପନା ଜଳ୍ପନା ପରେ ନିଜେ ପ୍ରଶାନ୍ତ କିଶୋର ଏହି ସୂଚନା ଦେଇଛନ୍ତି। କଂଗ୍ରେସରର ପ୍ରସ୍ତାବକୁ ପିକେ ଅଗ୍ରାହ୍ୟ କରିଥିବା ନେଇ ଦଳର ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ କରି କହିଛନ୍ତି। ଆଉ ପ୍ରଶାନ୍ତଙ୍କ ଏହି ପଦକ୍ଷେପ କଂଗ୍ରେସର ଦୋଷ ଦୁର୍ବଳତାକୁ ପଦାରେ ପକାଇଛି।

ପ୍ରଶାନ୍ତ କିଶୋର (Prashant Kishor) ଙ୍କୁ ଦଳରେ ଯୋଗଦେବାକୁ ଖୋଦ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ନିମନ୍ତ୍ରଣ କରିଥିଲେ। କଂଗ୍ରେସରେ ପ୍ରଶାନ୍ତ କିଶୋରଙ୍କୁ ସାମିଲ କରିବା ନେଇ ବିବାଦ ଦେଖାଦେଇଥିଲା ଏବଂ ମଙ୍ଗଳବାର ସେହି ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପଡିଛି। ତେବେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (TRS) ସହିତ ଭାରତୀୟ ରାଜନୈତିକ କ୍ରିୟାନୁଷ୍ଠାନ କମିଟି (I-PAC) ଦ୍ୱାରା ହୋଇଥିବା ମିଳିତ ମଞ୍ଚ ମଧ୍ୟ ଉଭୟଙ୍କ ମଧ୍ୟରେ ଫାଟ ହେବାର ଏକ ପ୍ରମୁଖ କାରଣ ବୋଲି ବିଶ୍ୱାସ କରାଯାଉଛି। କଂଗ୍ରେସରେ ଯୋଗଦେବେ ନାହିଁ ବୋଲି ନିଜେ ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି। ତେବେ ସେ ଏଥିପାଇଁ କୈଣସି ତତକ୍ଷଣାତ୍ କାରଣ ଦେଇନାହାଁନ୍ତି।

Also Read: PK vs PK: ବଦଳିବ କି ଓଡ଼ିଶାର ରାଜନୀତିର ଭବିଷ୍ୟତ? ପ୍ରଶାନ୍ତ କିଶୋରଙ୍କ ଏଣ୍ଟ୍ରି ପରେ ...

ଖବର ଅନୁଯାୟୀ, ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏମପାୱାର ଆକ୍ସନ ଗ୍ରୁପରେ ଯୋଗଦେବା ପାଇଁ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଆହ୍ୱାନର ସମୀକ୍ଷା କରିବା ପାଇଁ ଏହି କଂଗ୍ରେସ ପକ୍ଷରୁ ଏହି କମିଟି ଗଠନ କରାଯାଇଛି। ସୂତ୍ରରୁ ଜଣାପଡିଛି ଯେ, ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଦଳ ପୂର୍ଣ୍ଣ ସ୍ୱାଧୀନତା ସହିତ କାମ କରିବାର ସୁଯୋଗ ଦେଇନାହିଁ। ରଣଦୀପ ସୁରଜେୱାଲା ଟୁଇଟ୍ କରି କହିଛନ୍ତି, 'ପ୍ରଶାନ୍ତ କିଶୋର ନିଜେ କଂଗ୍ରେସରେ ଯୋଗଦେବାକୁ ମନା କରି ଦେଇଛନ୍ତି। ପ୍ରଶାନ୍ତ କିଶୋରଙ୍କ ଉପସ୍ଥାପନା ଏବଂ ତାଙ୍କ ସହ ଅନେକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏମପାୱାର ଆକ୍ସନ୍ ଗ୍ରୁପ୍ ୨୦୨୪ ଗଠନ ହେବା ପରେ ତାଙ୍କୁ ଏହି ଦଳରେ ଯୋଗଦେବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଦଳ ପ୍ରତି ତାଙ୍କର ପରାମର୍ଶ ଏବଂ ଉଦ୍ୟମକୁ ଆମେ ପ୍ରଶଂସା କରୁଛୁ।'

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress chief) ନିଜ ଦଳରେ ପ୍ରଶାନ୍ତ କିଶୋରଙ୍କୁ ସାମିଲ କରିବା ଏବଂ ୨୦୨୪ ପାଇଁ ମିଶନକୁ ଆଗକୁ ନେବା ପାଇଁ ଏକ କମିଟି ଗଠନ କରିଥିଲେ। ଏହି ୧୩ ଜଣିଆ କମିଟି ଏହାର ରିପୋର୍ଟ କଂଗ୍ରେସ ସଭାପତିଙ୍କ ନିକଟରେ ଦାଖଲ କରିଛି। ସୋମବାର ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା (Congress Leader) ଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ନେତା ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ (Congress) କୁ ଆଣିବା ସପକ୍ଷରେ ଥିଲେ। କିନ୍ତୁ ଦିଗବିଜୟ ସିଂହଙ୍କ ସମେତ ଅନେକ ନେତା ଏ ସମ୍ପର୍କରେ ଆଶଙ୍କା ପ୍ରକାଶ କରିଥିଲେ। ଆଉ ଶେଷରେ ତାହା ହିଁ ହେଲା। 

Also Read: 'ମୋଦି ଜିତିବା ପରେ ଦେଶ ଛାଡ଼ି ଥିଲି, କଂଗ୍ରେସ ଜିତିବ ତ ମୁଁ ଦୁବାଇ ଛାଡ଼ି ଦେବି'

ସୂତ୍ରରୁ ପ୍ରକାଶ ଯେ, ପ୍ରଶାନ୍ତ କିଶୋର ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ଆଲୋଚନାରେ ଅନେକ ବାଧାବିଘ୍ନ ରହିଥିଲା। କିନ୍ତୁ ଦୁଇ ଦିନ ପୂର୍ବେ ଆଇପିଏସି ସହିତ ଟିଆରଏସ ଚୁକ୍ତି ଏକ ଫ୍ଲାସ ପଏଣ୍ଟ ହୋଇଗଲା। କାରଣ ପ୍ରଶାନ୍ତ କିଶୋର ଚାହୁଁଥିଲେ ଯେ, ସେ ସିଧାସଳଖ କଂଗ୍ରେସ ନେତୃତ୍ୱଙ୍କୁ ରିପୋର୍ଟ କରନ୍ତୁ। ରାଜନୀତି ରଣନୀତିଜ୍ଞ କହିଛନ୍ତି ଯେ, ଆଇପିଏସି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, କିନ୍ତୁ ଏହି ସଂଗଠନରେ ତାଙ୍କର ସ୍ପଷ୍ଟ ପ୍ରଭାବ ଥିବା ଜଣା ପଡିଛି। ତେଲେଙ୍ଗାନା ସରକାରଙ୍କ ଆତିଥ୍ୟରେ ଟିଆରଏସ ଏବଂ ଆଇପିଏସି ମଧ୍ୟରେ ବୁଝାମଣା ହେବା ପୂର୍ବରୁ ପ୍ରଶାନ୍ତ କିଶୋର ଦୁଇ ଦିନ ହାଇଦ୍ରାବାଦରେ ଥିଲେ।

ତେବେ ଗୁଜୁରାଟ, ହିମାଚଳ ପ୍ରଦେଶ କିମ୍ବା ଅନ୍ୟାନ୍ୟ ରାଜ୍ୟ ବିଧାନସଭା ନିର୍ବାଚନରେ ​​ପ୍ରଶାନ୍ତ କିଶୋର କେଉଁ ଦଳରେ ଯୋଗ ଦେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରଶାନ୍ତ କିଶୋର ଏହା ପୂର୍ବରୁ ବଙ୍ଗଳା ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଏବଂ ଆନ୍ଧ୍ରରେ ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ସହିତ କାମ କରିଛନ୍ତି। ତେବେ ସେ କଂଗ୍ରେସରେ ଆସିବା ପରେ ଓଡିଶା ରାଜନୀତିରେ ଏକ ବଡ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଇଥିଲା। ଯଦି ଓଡ଼ିଶା ରାଜନୀତିର ସ୍ଥିତିକୁ ଯଦି ଆମେ ଚିନ୍ତା କରିବା ତାହାଲେ ଏଠାରେ ପ୍ରଶାନ୍ତ କିଶୋରଙ୍କ ପାଇଁ ବଡ ଚାଲେଞ୍ଜ ହୋଇଥାନ୍ତା ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ବିଗତ ୨୦ ବର୍ଷ  ଧରି ରାଜ୍ୟ ରାଜନୀତିରେ ଯେପରି ଭାବରେ ନବୀନ ପଟ୍ଟନାୟକ ନିଜକୁ  ଜଣେ  ଅଦ୍ଵିତୀୟ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏହାକୁ ଟାର୍ଗେଟ କରିବା ତାଙ୍କ ପାଇଁ ବଡ କଷ୍ଟକର ବ୍ୟାପାର ହୋଇପାରିଥାନ୍ତା।