ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ମୁହାଁମୁହିଁ ହେବେ BJP-Samajwadi Party
Advertisement

ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ମୁହାଁମୁହିଁ ହେବେ BJP-Samajwadi Party

ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ଲାଗି ମାର୍ଚ୍ଚ ୧୫ ତାରିଖ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯିବ।

ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ମୁହାଁମୁହିଁ ହେବେ BJP-Samajwadi Party

ଲକ୍ଷ୍ନୌ: ବିଧାନସଭା ପରେ ରାଜ୍ୟରେ ହେବାକୁ ଯାଉଥବା ବିଧାନ ପରିଷଦ ନିର୍ବାଚନରେ ପୁଣି ଥରେ ମୁହାଁମୁହିଁ ହେବେ ବିଜେପି ଏବଂ ସମାଜବାଦୀ ପାର୍ଟି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ ବିରୋଧି ଆସନରେ ବସିବ ସମାଜବାଦୀ ପାର୍ଟି। 

ବିଧାନସଭାରେ (Uttar Pradesh Legislative Assembly) ବହୁମତ ହାସଲ କରିଥିବା ବିଜେପି (BJP) ଏବେ ସମାଜବାଦୀ ପାର୍ଟି (Samajwadi Party) ପଲ୍ଲା ଭାରୀ ରହିଥିବା ବିଧାନ ପରିଷଦରେ (Uttar Pradesh Legislative Council) ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ପ୍ରୟାସ କରୁଛି। ଦେଶର ବୃହତ୍ତମ ରାଜନୈତିକ ରାଜ୍ୟ ଉତ୍ତର ପ୍ରଦେଶ ବିଧାନ ପରିଷଦର ୩୬ ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିପାଇଁ ବିଭିନ୍ନ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି।   

ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ଲାଗି ମାର୍ଚ୍ଚ ୧୫ ତାରିଖ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯିବ। ଏହି ନିର୍ବାଚନ ପାଇଁ ଅପ୍ରେଲ୍ ୯ ତାରିଖରେ ମତଦାନ ହେବ ଏବଂ ଫଳାଫଳ ୧୨ ଅପ୍ରେଲରେ ଆସିବ। ବିଧାନସଭା ପରେ ବିଜେପି ବର୍ତ୍ତମାନ ବିଧାନ ପରିଷଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ନଜର ରଖିଛି। ଏହାସହିତ ବିଧାନ ପରିଷଦର ଆସନ ବଜାୟ ରଖିବାକୁ ସମାଜବାଦୀ ପାର୍ଟି ପ୍ରସ୍ତୁତ ହେଉଛି। ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିବା ଉଭୟ ଦଳର ପୁରୁଖା ନେତା ବିଧାନ ପରିଷଦକୁ ନିର୍ବାଚିତ ହେବାକୁ ଅଣ୍ଟା ଭିଡ଼ିଛନ୍ତି।

Also Read: ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ଏହି ନେତାଙ୍କୁ ବିଧାନ ପରିଷଦ ପଠାଇଲା BJP

ପ୍ରଥମ ପର୍ଯ୍ୟାୟରେ ୩୦ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬ ଆସନ ଲାଗି ହେବ ବିଧାନ ପରିଷଦ ନିର୍ବାଚନ। ନାମାଙ୍କନ ଦାଖଲ ୧୫ ମାର୍ଚ୍ଚରୁ ଆରମ୍ଭ ହୋଇ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ଚାଲିବ। ୨୧ ମାର୍ଚ୍ଚରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ୨୩ ମାର୍ଚ୍ଚ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରାଯାଇ ପାରିବ। ଏହା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ୬ ସିଟ୍ ପାଇଁ ନାମାଙ୍କନ ଦାଖଲ ୧୫ ମାର୍ଚ୍ଚରୁ ଆରମ୍ଭ ହୋଇ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ୨୩ ମାର୍ଚ୍ଚରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ୨୫ ମାର୍ଚ୍ଚ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯିବ। ବିଧାନ ପରିଷଦ ନିର୍ବାଚନ ପାଇଁ ୯ ଅପ୍ରେଲରେ ମତଦାନ ଅନୁଷ୍ଠିତ ହେବ ଏବଂ ୧୨ ଅପ୍ରେଲରେ ଫଳାଫଳ ଘୋଷଣା କରାଯିବ।

ମୋଟ ୧୦୦ ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ବହୁମତ ପାଇଁ କୌଣସି ଦଳକୁ ୫୧ ସିଟ୍ ଆବଶ୍ୟକ। ବର୍ତ୍ତମାନ ୪୮ ସଦସ୍ୟ ଥାଇ ସମାଜବାଦୀ ପାର୍ଟି ଏହି ଗୃହରେ ସଂଖ୍ୟା ଗରିଷ୍ଠ ଦଳ ହୋଇ ରହିଛି। ଅନ୍ୟପଟେ ବିଜେପି ପାଖରେ ୩୬ ସଦସ୍ୟ ଅଛନ୍ତି। ବିଧାନସଭା ନିର୍ବାଚନ ସମୟରେ ୮ ସମାଜବାଦୀ ପାର୍ଟି ଏବଂ ଜଣେ ବିଏସପି ବିଧାନ ପରିଷଦ ସଦସ୍ୟ ଦଳ ଛାଡି଼ ବିଜେପି ହାତ ଧରିଥଲେ। ପ୍ରଥମ ଥର ଲାଗି ବିଧାନ ପରିଷଦରେ ବିଜେପି ବହୁମତ ହାସଲ କରିବାକୁ ଯାଉଛି। ବିଧାନ ପରିଷଦରେ ସ୍ଥାନୀୟ ସ୍ୱାୟତ୍ତ ଶାସିତ ସଂସ୍ଥାର ୩୬ ଆସନ ଲାଗି ଗତ ୨୦୧୬ ବର୍ଷରେ ହୋଇଥିବା ନିର୍ବାଚନରେ ସମାଜବାଦୀ ପାର୍ଟି ୩୧ ଏବଂ ବିଏସପି ୨ ସିଟ୍ ହାତେଇଥିଲେ। 

Also Read: Maharashtra MLC Election: ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ଆଗରେ ଭାରୀ ପଡିଲା ବିଜେପି

ଉତ୍ତର ପ୍ରଦେଶ ବିଧାନ ପରିଷଦରେ ସ୍ଥାନୀୟ ସ୍ୱାୟତ୍ତ ଶାସିତ ସଂସ୍ଥା ଲାଗି ୩୫ ଆସନ ସଂରକ୍ଷିତ ରହିଛି। ମାତ୍ର ଏଟା-ମଥୁରା-ମୈନପୁରୀ କ୍ଷେତ୍ରରୁ ୨ ଜଣ  ବିଧାନ ପରିଷଦ ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ମୋଟ ୩୫ ଆସନ ଲାଗି ୩୬ ଜଣ ସଦସ୍ୟ ବିଧାନ ପରିଷଦକୁ ନିର୍ବାଚିତ ହୋଇଥାନ୍ତି। ଏହି ନିର୍ବାଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ସର୍ବାଧିକ ସଂଖ୍ୟକ ସିଟ୍ ଜିତି ବିଜେପି ବିଧାନ ପରିଷଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଚାହୁଁଛି ଅନ୍ୟପଟେ ସଂଖ୍ୟା ଗରିଷ୍ଠ ଦଳ ହୋଇ ରହିଥିବା ସମାଜାବଦୀ ପାର୍ଟି ଏହାର ଆସନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଛି। ଏଭଳି ପରିସ୍ଥିତିରେ ବିଧାନ ପରିଷଦ ନିର୍ବାଚନ ଲାଗି ଘୋଡ଼ା ବେପାର ଆରମ୍ଭ ହୋଇସାରିଛି।

ଉତ୍ତର ପ୍ରଦେଶ ବିଧାନ ପରିଷଦର ସ୍ଥାନୀୟ ସ୍ୱାୟତ୍ତ ଶାସିତ ସଂସ୍ଥାର ୩୬ ଆସନ ଲାଗି ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ​​ଜିଲ୍ଲା ପଞ୍ଚାୟତ ସଦସ୍ୟ ଅର୍ଥାତ ଜିଲ୍ଲା ପରିଷଦ ସଭ୍ୟ, କ୍ଷେତ୍ର ପଞ୍ଚାୟତ ସଦସ୍ୟ ଅର୍ଥାତ ପଞ୍ଚାୟତ ସମିତି ସଭ୍ୟ, ଗ୍ରାମ ମୁଖ୍ୟ ଅର୍ଥାକ ସରପଞ୍ଚ, ମହାନଗର ନିଗମ, ପୌରପାଳିକା ଏବଂ ନଗର ପଞ୍ଚାୟତ ସଭ୍ୟ, କ୍ୟାଣ୍ଟ ବୋର୍ଡ ନିର୍ବାଚିତ ସଦସ୍ୟ, ସ୍ଥାନୀୟ ବିଧାୟକ ଏବଂ ସ୍ଥାନୀୟ ସାଂସଦ ମତଦାନ କରିବେ। ଏଭଳି ପରିସ୍ଥିତିରେ ରାଜ୍ୟରେ କ୍ଷମତାସୀନ ଶାସକ ଦଳ ଏହି ନିର୍ବାଚନରେ ଫାଇଦା ଉଠାଇଥାନ୍ତି।

ମୋଟ ମୋଟ ୧୦୦ ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ସ୍ଥାନୀୟ ସ୍ୱାୟତ୍ତ ଶାସିତ ସଂସ୍ଥାରୁ (Local Authorities Constituency) ୩୬ ଜଣ ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ମୋଟ ଆସନର ୧/୧୨ ଭାଗ ଅର୍ଥାତ ୮-୮ ଆସନ ଶିକ୍ଷକ (Teachers Constituency) ଏବଂ ଗ୍ରାଜୁଏଟ ଅର୍ଥାତ ସ୍ନାତକତ୍ତୋରଙ୍କ (Graduates Constituency) ଲାଗି ସଂରକ୍ଷିତ ରହିଛି। ଅନ୍ୟପଟେ ୧୦ ଜଣ ସଭ୍ୟ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି। ବାକି ୩୮ ଆସନର ସଭ୍ୟକୁ ଉତ୍ତର ପ୍ରଦେଶ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ (Members Elected by Legislative Assembly Member) ନିର୍ବାଚିତ କରିଥାନ୍ତି। 

Also Read: Karnataka: ବିଧାନସଭା ସଭା ପରେ ବିଧାନ ପରିଷଦରେ ଶକ୍ତି ବଢାଇଲା ଶାସକ BJP

ଉତ୍ତର ପ୍ରଦେଶ ବିଧାନ ପରିଷଦ

  • ମୋଟ ଆସନ ସଂଖ୍ୟା:୧୦୦
  • ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ବିଧାୟକଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ସଦସ୍ୟଙ୍କ ସଂଖ୍ୟା: ୩୮
  • ସ୍ଥାନୀୟ ସ୍ୱାୟତ୍ତ ଶାସିତ ସଂସ୍ଥାର ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ସଦସ୍ୟଙ୍କ ସଂଖ୍ୟା:୩୬
  • ଶିକ୍ଷକଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ସଦସ୍ୟଙ୍କ ସଂଖ୍ୟା: ୮
  • ସ୍ନାତକତ୍ତୋରଙ୍କ ନିର୍ବାଚିତ ହେଉଥିବା ସଦସ୍ୟଙ୍କ ସଂଖ୍ୟା:୮
  • ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ସଭ୍ୟ:୧୦