ଡବ୍ଲ୍ୟୁଏଚଓର ଚେତାବନୀ: ସତର୍କ ରୁହ, ନହେଲେ ପରିଣାମ ହେବ ଭୟଙ୍କର
Advertisement

ଡବ୍ଲ୍ୟୁଏଚଓର ଚେତାବନୀ: ସତର୍କ ରୁହ, ନହେଲେ ପରିଣାମ ହେବ ଭୟଙ୍କର

ବିଶ୍ୱରେ କରୋନା ଜନିତ ସ୍ଥିତିକୁ ନେଇ ସତର୍କ ରହିବାକୁ ସବୁ ଦେଶଙ୍କ ଉଦ୍ଦେଶ୍ୟରେ ଜଣାଇଦେଇଛି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚଓ) |

ଡବ୍ଲ୍ୟୁଏଚଓର ଚେତାବନୀ: ସତର୍କ ରୁହ, ନହେଲେ ପରିଣାମ ହେବ ଭୟଙ୍କର

ଜେନିଭା: ବିଶ୍ୱବ୍ୟାପୀ ବିଭିନ୍ନ ପ୍ରାନ୍ତରେ ଆତଙ୍କ ଖେଳାଉଥିବା କୋଭିଡ19 ଯୋଗୁଁ ବିଗିଡିବାରେ ଲାଗିଛି ପରିସ୍ଥିତି | ଏଭଳି ସ୍ଥିତି ପ୍ରତି ସତର୍କ ରହିବାକୁ ବିଶ୍ୱର ସମସ୍ତ ସଦସ୍ୟ ଦେଶଙ୍କ ଉଦ୍ଦେଶ୍ୟରେ ଜଣାଇ ଦେଇଛି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚଓ) | ଏନେଇ ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି, ଆମେରିକୀୟ ମହାଦେଶରେ ଦିନକୁ ଦିନ କୋରୋନା ସଂକ୍ରମଣ ମାମଲା ବଢିବା ପରେ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଗୁରୁତର ହେବାରେ ଲାଗିଛି | ଯଦି ଏପରି ଅବସ୍ଥା ଲାଗି ରହେ ତାହାଲେ ପରିଣାମ ବହୁତ ଭୟଙ୍କର ହେବ | 

କୋରୋନା ତାଣ୍ଡବ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନ୍ୟ ଦେଶରେ ହେଉଥିବା ପ୍ରଦର୍ଶନ ଉପରେ ଚିନ୍ତାବ୍ୟକ୍ତ କରି ଡବ୍ଲ୍ୟୁଏଚଓ କହିଛି, ପ୍ରଦର୍ଶନକାରୀ ସତର୍କତା ପାଳନ କରନ୍ତୁ | ଭର୍ଚ୍ୟୁଆଲ ନ୍ୟୁଜ କନଫରେନ୍ସ ମାଧ୍ୟମରେ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟ୍ରେଡୋସ ଏଡହୋମ ଘେବ୍ୟୋୟିୟସ କହିଛନ୍ତି ଯଦିଓ ୟୁରୋପରେ ସ୍ଥିତି ସୁଧୁରିଛି ମାତ୍ର ବିଶ୍ୱର ପରିସ୍ଥିତି ଖରାପ ହେବାରେ ଲାଗିଛି | ଯଦି ବିଗତ ୧୦ ଦିନର ରିପୋର୍ଟ ଉପରେ ନଜର ପକାଯାଏ, ଏହା ସ୍ପଷ୍ଟ ଯେ ୯ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ  କୋଭିଡ19 ଜନିତ ମାମଲା ସାମ୍ନାକୁ ଆସିଛି | ସଂକ୍ରମଣ ମାମଲା ୧ଲକ୍ଷ ୩୬ ହଜାରରୁ ଅଧିକ ରହିଛି |  

ଉପରୋକ୍ତ ମାମଲାରୁ ୭୫ ପ୍ରତିଶତ ମାମଲା ୧୦ଟି ଦେଶରୁ ଆସିଛି |  ଯାହାସ ମଧ୍ୟରେ ଅଧିକାଂଶ ଦକ୍ଷିଣ ଆମେରିକା ଏବଂ ଦକ୍ଷିଣ ଏସୀୟାର ଦେଶ ସାମିଲ ଅଛନ୍ତି | ଯେଉଁ ଦେଶ କୋରୋନା ଜନିତ ସ୍ଥିତି ସୁଧୁରିଥିବା ନେଇ ଦାବି କରୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଡବ୍ଲ୍ୟୁଏଚଓ ପକ୍ଷରୁ ଚେତାବନୀ ଦିଆଯାଇ କୁହାଯାଇଛି ଅତ୍ମସନ୍ତୋଷ ସବୁଠୁ ବଡ ବିପଦ | ଦୁନିଆର ଅଧିକାଂଶ ଲୋକ ବର୍ତ୍ତମାନ ସଂକଟ ମଧ୍ୟରେ ଅଛନ୍ତି | ପ୍ରାୟ ୬ ମାସ ଧରି ବିଶ୍ୱରେ କୋରୋନା ମହାମାରୀ ଉପସ୍ଥିତି ଜାହିର କରିଛି |  

ଯୁକ୍ତରାଷ୍ଟ୍ର ଆମେରିକାରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲୟେଡଙ୍କ ହତ୍ୟା ଘଟଣା ପରେ ଏହାକୁ ନେଇ ୟୁରୋପୀୟ ଦେଶରେ ଜାତିଭେଦ ବିରୋଧି ଆନ୍ଦୋଳନ ଚାଲିଛି | ଏନେଇ ଡବ୍ଲ୍ୟୁଏଚଓ ପକ୍ଷରୁ ପ୍ରତିକ୍ରିୟା ରଖି କୁହାଯାଇଛି, ଆମେ ଜାତିଭେଦ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରୁଛୁ | ଆମେ ଏପରି ଭେଦଭାବ ବିରୋଧରେ ରହିଛୁ | ହେଲେ ବର୍ତ୍ତମାନର ସମୟରେ ପ୍ରଦର୍ଶନକାରୀ ସୁରକ୍ଷିତ ଭାବେ ନିଜର ଦାବି ଉପସ୍ଥାପନ କରନ୍ତୁ | ସେମାନେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଅନ୍ତୁ |  ହାତକୁ ସଫା ରଖନ୍ତୁ, କାଶିବା ସମୟରେ ମୁହଁକୁ ଘୋଡାଇ ରଖନ୍ତୁ, ମାସ୍କ ପିନ୍ଧନ୍ତୁ | ଯଦି ଆପଣ ଅସୁସ୍ଥତା ଅନୁଭବ କରୁଛନ୍ତି ଘରେ ରୁହନ୍ତୁ ଏବଂ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ |

ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ବିଶ୍ୱରେ କରୋନା ଭାଇରସ ଯୋଗୁଁ ୭ ମିଲିୟନରୁ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇଛନ୍ତି | ମୋଟ ୭୦ଲକ୍ଷ୦୬ହଜାର ୪୩୬ ଲୋକଙ୍କଠାରେ ଏହି ଜୀବାଣୁ ମିଳିଥିବା ବେଳେ ୪ଲକ୍ଷ୦୨ହଜାର ୬୯୯ ଲୋକ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି । ଜେଏଚୟୁ ଟ୍ରାକରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ବିଶ୍ୱର ସର୍ବାଧିକ କୋରୋନା ପ୍ରଭାବିତ ୫ଟି ଦେଶ ମଧ୍ୟରେ ରହିଛି ଆମେରିକା,ବ୍ରାଜିଲ, ଋଷିଆ, ୟୁକେ ଏବଂ ଭାରତ |