ତିହାର ଜେଲରେ କିପରି ଥିଲା ଦୋଷୀଙ୍କ ଜୀବନ, କେତେ କରିଥିଲେ ଆୟ ?
Advertisement

ତିହାର ଜେଲରେ କିପରି ଥିଲା ଦୋଷୀଙ୍କ ଜୀବନ, କେତେ କରିଥିଲେ ଆୟ ?

ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟା ଦୋଷୀ

 ତିହାର ଜେଲରେ କିପରି ଥିଲା ଦୋଷୀଙ୍କ ଜୀବନ, କେତେ କରିଥିଲେ ଆୟ ?

ନୂଆଦିଲ୍ଲୀ: ଫାଶୀ ଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ । ଏହା ସହିତ ନ୍ୟାୟ ପାଇଛି ନିର୍ଭୟା । ତେବେ ଏହି ଦୀର୍ଘ ୭ ବର୍ଷ ଲଢେଇ ଉଭୟ ପୀଡ଼ିତା ଓ ଦୋଷୀଙ୍କ ପାଇଁ ବେଶ କଷ୍ଟସାଧ୍ୟ ଥିଲା । ନ୍ୟାୟ ପାଇଁ ପୀଡ଼ିତାଙ୍କ ପରିବାର ଏକୋର୍ଟରୁ ସେ କୋର୍ଟ ବାରମ୍ବାର ଦଉଡ଼ିଥିଲେ । ବେଶ ସଂଘର୍ଷ ମଧ୍ୟ କରିଥିଲେ । ମାତ୍ର ଫାଶୀରୁ ବର୍ତ୍ତିବା ପାଇଁ ଶେଷ ପର୍ଯ୍ୟନ୍ତ ପ୍ରୟାସ କରିଥିଲେ ନିର୍ଭୟା ଦୋଷୀମାନେ । 

ଫାଶୀ ଖୁଣ୍ଟକୁ ଆସିବା ପୂର୍ବରୁ ୭ ବର୍ଷ କାଳ ଜେଲର ଚାରିକାନ୍ଥ ମଧ୍ୟରେ ଜୀବନ ବିତାଇ ସାରିଛନ୍ତି । ଏହି ସାତ ବର୍ଷ ମଧ୍ୟରେ ଚାରି ଦୋଷୀ ନିଜକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିଲେ । ପାଠ ପଢା ସହିତ ଦୈନନ୍ଦିନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଏମାନଙ୍କ ମଧ୍ୟରେ ନିଜର ଭୁଲ ପାଇଁ ବେଶ ପଶ୍ଚାତାପ କରିଥିଲା ଅକ୍ଷୟ ଠାକୁର । ନିଜକୁ ସୁଧାରିବା ପାଇଁ ସବୁବେଳେ କାର୍ଯ୍ୟରେ ନିୟୋଜିତ କରିଥିଲା । ଫଳରେ ସେ ସର୍ବାଧିକ ୬୯ ହଜାର ଟଙ୍କା ରୋଜଗାର କରିପାରିଥିଲା । 

ସେହିପରି ବିନୟ ଶର୍ମା ୩୯ ହଜାର ଟଙ୍କା ରୋଜଗାର କରିଥିବା ବେଳେ ପବନ ଗୁପ୍ତା ୨୯ ହଜାର ଟଙ୍କା ରୋଜଗାର କରିଥିଲେ । ମାତ୍ର ମୁକେଶ ସିଂହ କୌଣସି ରୋଜଗାର କରିନଥିଲା । କାମ କରିବାକୁ ଆରମ୍ଭରୁ ମନା କରିଦେଇଥିଲା ମୁକେଶ । 

ଜେଲରେ ଦଣ୍ଡଭୋଗୁଥିବା ବେଳେ ମୁକେଶ, ପବନ ଓ ଅକ୍ଷୟ ପାଠ ପଢାରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ । ଏପରିକି ଏହି ପରୀକ୍ଷା ମଧ୍ୟ ଦେଇଥିଲେ ଏହି ତିନି ଜଣ । ଯଦିଓ ଏମାନେ କୃତକାର୍ଯ୍ୟ ହୋଇପାରିନଥିଲେ । ସେପଟେ ବିନୟ ସ୍ନାତକ ପାଇଁ ପଢା ଆରମ୍ଭ କରିଥିଲେ ମଧ୍ୟ ତାହାର ଶିକ୍ଷାକୁ ସେ ପୁରଣ କରିପାରିନଥିଲା । 

ତିହାର ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି କି, ଏହି ଚାରି ଜଣ ଦୋଷୀଙ୍କ ମଧ୍ୟରେ ସର୍ବାଧିକ ବିନୟକୁ ଦଣ୍ଡ ମିଳିଛି । ଜେଲ ନିୟମ ଭାଙ୍ଗିବା ଅଭିଯୋଗରେ ୧୧ଥର ଦଣ୍ଡିତ ହୋଇଛି ବିନୟ । ସେହିପରି ପବନ ୮ ଥର ଦଣ୍ଡିତ ହୋଇଥିବା ବେଳେ ମୁକେଶ ୩ ଥର ଦଣ୍ଡିତ ହୋଇଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଅକ୍ଷୟ ଠାକୁର ମାତ୍ର ଥରେ ହିଁ ଦଣ୍ଡିତ ହୋଇଥିଲା । 

ବିନୟ ଜେଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର, ଅନ୍ୟ ସାଥି କଏଦୀମାନଙ୍କୁ ଗାଳିଗୁଲଜ କରିବା, ଅନ୍ୟମାନଙ୍କୁ ମାରପିଟ କରିବା ତଥା ଅନ୍ୟାନ୍ୟ କାରଣ ପାଇଁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଦଣ୍ଡିତ କରିଥିଲେ । ଏପରିକି ବିନୟ ବିରୋଧରେ ସେସନ କୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।