ରାଫେଲ ରାୟ: ଅମ୍ବାନୀଙ୍କୁ କଂଗ୍ରେସ ନେତା କହିଲେ, ମୋତେ କ୍ଷମା କରିଦିଅ !
Advertisement

ରାଫେଲ ରାୟ: ଅମ୍ବାନୀଙ୍କୁ କଂଗ୍ରେସ ନେତା କହିଲେ, ମୋତେ କ୍ଷମା କରିଦିଅ !

ରାଫେଲ ମାମଲାର ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଏହାପରେ ଟ୍ୱିଟ କରି ଅନିଲ ଅମ୍ବାନୀଙ୍କୁ କ୍ଷମା ମାଗିଛନ୍ତି କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା ! 

ଫାଇଲ ଫଟୋ

ନୂଆଦିଲ୍ଲୀ: ରାଫେଲ ମାମଲାର ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ରାଫେଲ କିଣାବିକାରେ ଦୁର୍ନୀତି ହୋଇନଥିବା ଏହି ରାୟ ପରେ ସ୍ପଷ୍ଟ ହୋଇଛି । ଆହୁରି ମଧ୍ୟ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଯେଉଁ ବଡ ମୁଦ୍ଦା ତିଆରି କରିଥିଲା, ସେଥିରେ ପୁନଚ୍ଛେଦ ପଡିଛି । ଏହାପରେ ଟ୍ୱିଟ କରି ଅନିଲ ଅମ୍ବାନୀଙ୍କୁ କ୍ଷମା ମାଗିଛନ୍ତି କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା ! 

ଅନିଲ ଅମ୍ବାନୀଙ୍କୁ ନେଇ ଟିଭି ବିତର୍କରେ ସଞ୍ଜୟ ଯେଉଁ ଟିପ୍ପଣୀ ଦେଇଥିଲେ, ତାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ନିଜ ଟ୍ୱିଟରେ ସେ ଲେଖିଛନ୍ତି, ରାଫେଲ ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇଛନ୍ତି । ତେଣୁ ମୁଁ ଟିଭି ବିତର୍କରେ ଅନିଲ ଅମ୍ବାନୀଙ୍କ ନାଁରେ ଯେଉଁ ଆରୋପ ଲଗାଇଥିଲି, ସାର୍ବଜନୀନ ଭାବରେ ସେନେଇ ତାଙ୍କୁ କ୍ଷମା ମାଗୁଛି । ସାର୍, ଆପଣ ସତ୍ୟନିଷ୍ଠ। ପାରଦର୍ଶୀ ଏବଂ ଇମାନଦାର ଅଟନ୍ତି । ଦୟାକରି ମୋତେ କ୍ଷମା ଦେବେ ବୋଲି କହିଥିଲେ ସଞ୍ଜୟ । 

ସଞ୍ଜୟଙ୍କ ଏହି ଟ୍ୱିଟ ସୋଶିଆଲ ମିଡିଆରେ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ପରବର୍ତ୍ତୀ ସମୟରେ ଅନ୍ୟ ଏକ ଟ୍ୱିଟ କରି ତାଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା । ସଞ୍ଜୟ କହିଥିଲେ, ଅନିଲ ଅମ୍ବାନୀଙ୍କୁ ନେଇ ମୋର ବ୍ୟଙ୍ଗକୁ ଭୁଲ ଅର୍ଥରେ ବ୍ୟବହାର କରାଯାଉଛି । 

ରାଫେଲ ମାମଲା କ'ଣ ?

ଲୋକସଭା ନିର୍ବାଚନ ବେଳେ ରାଫେଲ ବିମାନ ଚୁକ୍ତି ମାମଲା ଦେଶର ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା । ଫ୍ରାନ୍ସ ଠାରୁ କ୍ରୟ କରାଯାଇଥିବା ଏହି ଯୁଦ୍ଧ ବିମାନ ଚୁକ୍ତିରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା । ଏହି ମାମଲାରେ ୨ଟି ଜନହିତ ଯାଚିକା ଦାଖଲ କରାଯାଇଥିଲା । ଏହା ବ୍ୟତୀତ ବିମାନର ଦାମ, ଚୁକ୍ତି, କମ୍ପାନୀର ଭୂମିକା ଉପରେ ପ୍ରଶ୍ନ ଉଠାଯାଇଥିଲା । ଗତବର୍ଷ ଡିସେମ୍ବର ୧୪ରେ ୩୬ଟି ରାଫେଲ ବିମାନକୁ ନେଇ ହୋଇଥିବା ଡିଲ ବିରୋଧରେ ଏକ ଯାଚିକା ଉପସ୍ଥାପନା କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ସୁ୍ପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଯାଇଥିଲା । ରିଭ୍ୟୁ ପିଟିସନ ଦାଖଲରେ ଆମ ଆଦମି ପାର୍ଟିର ମଧ୍ୟ ଭୂମିକା ଥିଲା । ହେଲେ ସୁପ୍ରିମକୋର୍ଟ ଆଜି ଏହି ଆବେଦନକୁ ଖାରଜ କରିଛନ୍ତି ।