ରାମ ମନ୍ଦିର ଭୂମି ପୂଜା ପୂର୍ବରୁ ସରକାରଙ୍କ ପାଖରେ ବଡ଼ ଦାବି କଲେ ସୁବ୍ରମଣ୍ୟମ ସ୍ୱାମୀ
Advertisement

ରାମ ମନ୍ଦିର ଭୂମି ପୂଜା ପୂର୍ବରୁ ସରକାରଙ୍କ ପାଖରେ ବଡ଼ ଦାବି କଲେ ସୁବ୍ରମଣ୍ୟମ ସ୍ୱାମୀ

ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଗସ୍ତ କରିବା ପୂର୍ବରୁ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରି ବାବରି ମସଜିଦ ମାମଲାକୁ ପୁଣିଥରେ ତାଜା କରିଛନ୍ତି । 

ରାମ ମନ୍ଦିର ଭୂମି ପୂଜା ପୂର୍ବରୁ ସରକାରଙ୍କ ପାଖରେ ବଡ଼ ଦାବି କଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କାର୍ଯ୍ୟକ୍ରମ ହେବ । ଏନେଇ ତାରିଖ ମଧ୍ୟ ଚୁଡ଼ାନ୍ତ ହୋଇସାରିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହେବେ । ତେବେ ଏହା ପୂର୍ବରୁ ସରକାରଙ୍କ ପାଖରେ ବଡ଼ ଦାବି କରିଛନ୍ତି ବିଜେପିର ଫାୟାରବ୍ରାଣ୍ଡ ନେତା ସୁବ୍ରମଣ୍ୟମ ସ୍ୱାମୀ(Subramanian Swamy) । ଭୂମି ପୂଜନ ପୂର୍ବରୁ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡୱାଣୀ(Lal Krishna Advani) ଓ ମୁରଲୀ ମନୋହର ଜୋଶୀ(Murli Manohar Joshi)ଙ୍କ ସମେତ ଅନ୍ୟ ନେତାଙ୍କ ବିରୋଧରେ ଚାଲିଥିବା ମାମଲାକୁ ବନ୍ଦ କରିବାକୁ ଦାବି କରିଛନ୍ତି ସୁବ୍ରମଣ୍ୟମ । ସେ କହିଛନ୍ତି, ଏହି ନେତାମାନେ କୌଣସି ମସଜିଦ ଭାଙ୍ଗି ନ ଥିଲେ, ବରଂ ସେଠାରେ ଆରମ୍ଭରୁ ଥିବା ମନ୍ଦିରର ପୁନଃନିର୍ମାଣ କରିବା ପାଇଁ କାମ କରିଥିଲେ । 

ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଗସ୍ତ କରିବା ପୂର୍ବରୁ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରି ବାବରି ମସଜିଦ ମାମଲାକୁ ପୁଣିଥରେ ତାଜା କରିଛନ୍ତି । କହିଛନ୍ତି, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଯିବା ପୂର୍ବରୁ ପ୍ରଥମେ ଆଡୱାଣୀ, ଜୋଶୀ ଏବଂ ଅନ୍ୟ ସମସ୍ତ ନେତାଙ୍କ ବିରୋଧରେ ମସଜିଦ ଭଙ୍ଗିବା ନେଇ ଚାଲିଥିବା ମାମଲାକୁ ବନ୍ଦ କରିଦେବା ଦରକାର । ଏହି ନେତାମାନେ କୌଣସି ମସଜିଦ ଭାଙ୍ଗିନଥିଲେ । ସେଠାରେ ପ୍ରଥମରୁ ହିଁ ମନ୍ଦିର ଥିଲା, କିନ୍ତୁ ତାକୁ ଭାଙ୍ଗି ବିବାଦୀୟ ଭାବରେ ମସଜିତ ତିଆରି ହୋଇଥିଲା । ଏକଥା ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ସ୍ୱୀକାର କରିଛନ୍ତି । ଏହି ନେତାମାନେ ପ୍ରଥମରୁ ସ୍ଥାପିତ ଥିବା ମନ୍ଦିରର କେବଳ ପୁନଃନିର୍ମାଣ ପାଇଁ ଏହାକୁ ହଟାଇଥିଲେ ।''

ଏବେ ସୁବ୍ରମଣ୍ୟମ ସ୍ୱାମୀଙ୍କ ଏହି ଟ୍ୱିଟ ଭାଇରାଲ ହେଉଛି । ତେବେ ଏହି ଟ୍ୱିଟ ଉପରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନି । 

କହିରଖୁଛୁ, ଆସନ୍ତା ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ନିର୍ମାଣ ନେଇ ଭୂମି ପୂଜନ କରାଯିବ । ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ଏହି ଦିନ ମୋଦି ଦିନ ୧୧ରୁ ଦ୍ୱିପହର ଗୋଟିଏ ପର୍ଯ୍ୟନ୍ତ ଅଧୋଧ୍ୟାରେ ରହିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ ମଧ୍ୟ ସାମିଲ ହେବେ ବୋଲି କୁହାଯାଉଛି ।