ଅଗଷ୍ଟ ୬, ୧୯୪୫: ଆଜିର ଦିନରେ ହିରୋସୀମା ସହରକୁ କବରସ୍ଥାନ କରିଥିଲା 'ଲିଟିଲ ବୟ'
Advertisement

ଅଗଷ୍ଟ ୬, ୧୯୪୫: ଆଜିର ଦିନରେ ହିରୋସୀମା ସହରକୁ କବରସ୍ଥାନ କରିଥିଲା 'ଲିଟିଲ ବୟ'

ଆଜିର ଦିନରେ ଜାପାନର ହିରୋସୀମା ସହରେ ପରମାଣୁ ବୋମା ପକାଇଥିଲା ଆମେରିକା।

ଅଗଷ୍ଟ ୬, ୧୯୪୫: ଆଜିର ଦିନରେ ହିରୋସୀମା ସହରକୁ କବରସ୍ଥାନ କରିଥିଲା 'ଲିଟିଲ ବୟ'

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳର ଘଟଣା। ୧୯୪୫ ମସିହା ଅଗଷ୍ଟ ସବୁ ଦିନ ଭଳି ସ୍ୱାଭାବିକ ରହିଥିଲା ସେଦିନର ସମୟ। ହେଲେ ଅଚାନକ ସବୁକିଛି ବଦଳି ଯାଇଥିଲା। ଆଜକୁ ୭୫ ବର୍ଷ ତଳେ ଆଜିର ଦିନରେ ବିଶ୍ୱ ଇତିବାସର ରଙ୍ଗମଞ୍ଚରେ ରଚିତ ହୋଇଥିଲା ଏକ ବିଧ୍ୱସାଂତ୍ମକ ନାଟକ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରତିଦ୍ୱନ୍ଦୀ ଜାପାନ ସହ ମୁକାବିଲା କରିବାକୁ ଯାଇ ଏହି ଦେଶର ହିରୋସୀମା ସହର ଉପରେ ପରମାଣୁ ବୋମା 'ଲିଟିଲ ବୟ' ପକାଇଥିଲା ସେତେବେଳ ସାମରିକ ଶକ୍ତି ଦୃଷ୍ଟିକୋଣରୁ ଶକ୍ତିଶାଳୀ ଭାବେ ବିବେଚିତ ହେଉଥିବା ଯ଼ୁକ୍ତରାଷ୍ଟ୍ର ଆମେରିକା। ଆଉ ଦେଖୁ ଦେଖ ଏହି ଜାପାନୀ ସହର ରହସ୍ୟମୟ ଭାବେ ଏକ କବରସ୍ଥାନ ଅର୍ଥାତ ଶ୍ମଶାନଘାଟରେ ପରିଣତ ହୋଇଯାଇଥିଲା । ଏହି ଘଟଣା ଘଟିବାର ୬ ଦିନ ପରେ ଆମେରିକା ନିକଟରେ ଆତ୍ମ ସମର୍ପଣ କରିଥିଲା ଜାପାନ। 
  
ଏହା ସହିତ  ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ଘଟିଥିଲା । ଯାହା ବିଶ୍ୱର ମାନବ ଦ୍ୱାରା ହୋଇଥିବା ଏକ ବଡଧରଣର ଭୁଲ । ଯାହା ଦ୍ୱାରା ଅକଳ୍ପନୀୟ ପରିମାଣର ଅନେକ ଧନଜୀବନ ନଷ୍ଟ ହୋଇଥିଲା। ଚଳିତ ବର୍ଷ ଏହି ଘଟଣାକୁ ୭୫ ବର୍ଷ ପୁରିଛି । ଏହି ଅବସରରେ ଜାପାନରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି।  ବିଶ୍ୱଯୁଦ୍ଧ ସମୟରେ ଧ୍ୱଂସସ୍ତୁପରେ ପରିଣତ ହୋଇଥିବା ହିରୋସୀମା ସହର ଏବେ ଶାନ୍ତିର ପ୍ରତୀକ ଭାବେ ଉଭା ହୋଇଛି।  

୧୯୧୪-୧୮ ମଧ୍ୟରେ ହୋଇଥିବା ବିଶ୍ୱ ପ୍ରଥମ ମହାସମରର ପରିସମାପ୍ତି ପରେ ବିଶ୍ୱରେ ଆସିଥିବା ମହାମାରୀ ସ୍ପାନିଶ ଫ୍ଲୁ ସହ ଲଢେଇ କରିବା ଲାଗି ଅସମର୍ଥ ହୋଇ ପଡିଥିଲେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ସମସ୍ତ ଦେଶ। ରାଷ୍ଟ୍ରବାଦକୁ ନେଇ  ଦେଶ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ବୃଦ୍ଧି ପାଇବା ଫଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅୟମାରମ୍ଭ ହୋଇଥିଲା । 

ସେହି ଅଶୁଭ ସକାଳ…

ଅଗଷ୍ଟ ୬ ତାରିଖ ୧୯୪୫ ମସିହାର ସକାଳ ହିରୋସୀମା ଲୋକଙ୍କ ପାଇଁ ପ୍ରତ୍ୟେକ ଦିନ ଭଳି ସମାନ ଥିଲା। ହେଲେ କ୍ଷଣ ମଧ୍ୟରେ ସହର ବିନାଶ ହୋଇଯିବ ଏକଥା ସେମାନଙ୍କୁ ଜଣାନଥିଲା। ସେଦିନ ଘଟିଥିବା ଘଟଣା ସବୁଦିନ ଲାଗି ବିଶ୍ୱ ଇତିହାସରେ ଲିପିବଦ୍ଧ ହୋଇଯିବ। ସକାଳ ୮ଟା ୧୫ ମିନିଟରେ, ଆମେରିକାର ବି- ୨୯ ବିମାନ ହିରୋସୀମା ଉପରେ 'ଲିଟିଲ୍ ବୟ' ନାମକ ଏକ ବୋମା ଫିଙ୍ଗିଥିଲା। ଗୋଟିଏ ମୂହୂର୍ତ୍ତରେ ଏହା ସହରର ଦକ୍ଷିଣ-ପଶ୍ଚିମ ଭାଗକୁ ଧ୍ୱଂସ କରି ଦେଇଥିଲା। ବୋମା ବିସ୍ଫୋରଣ ହେବା ପରେ ଜାପାନର ଏହି ସହର ଏକ ଧ୍ୱଂସସ୍ତୁପରେ ପରିଣତ ହୋଇ ଯାଇଥିଲା। 

ଏହି ବୋମା ହିରୋସୀମା ସହରରେ ନିର୍ଦ୍ଧାରିତ ସ୍ଥାନରେ ପକାଯାଇ ପାରିନଥିଲା। ଏହାକୁ ଏଠାକାର ଆଇଓ ବ୍ରିଜ ନିକଟରେ ପକାଇବାର ଥିଲା । ହେଲେ ପବନ ବିପରୀତ ଦିଗରେ ବହିବା କାରଣରୁ ଏହା ସ୍ଥାନୀୟ ସର୍ଜିକାଲ୍ କ୍ଲିନିକ ନିକଟରେ ଖସି ପଡିଥିଲା। ଏହି ବିସ୍ଫୋରଣରେ ୧ ଲକ୍ଷ  ୪୦ ହଜାର ଲୋକ ପ୍ରାଣ ହରାଇଥିଲେ । ହଜାର ହଜାର ଲୋକ ଗୁରୁତର ଆହତ ଓ ଅସୁସ୍ଥ ହୋଇଥିଲେ।  ଅନେକେ ଲୋକ ପରମାଣୁ ଜନିତ ବିକିରଣରେ ପୀଡିତ ହୋଇଥିଲେ।  ଯାହାର ପ୍ରଭାବ ଆଜି ମଧ୍ୟ ଅନୁଭୂତ ହୋଇଥାଏ। 

ସେହି ବର୍ଷ ଅଗଷ୍ଟ ୯ ତାରିଖରେ, ହିରୋସିମା ଉପରେ ଆକ୍ରମଣର ୩ ଦିନ ପରେ ଆମେରିକା ନାଗାସାକି ସହର ଉପରେ ଦ୍ୱିତୀୟ ପରମାଣୁ ବୋମା 'ଫ୍ୟାଟ ମ୍ୟାନ' ପକାଇଲା। ଏହି ଉଭୟ ଆଣବିକ ଆକ୍ରମଣରେ ଜାପାନର ପ୍ରଭୂତ ପରିମାଣରେ କ୍ଷୟକ୍ଷତି ହୋଇଥିଲା । ଏହି ଆକ୍ରମଣରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣ ପରେ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ବିକିରଣର ପ୍ରଭାବ ଦେଖିବାକୁ ମିଳିଥିଲା।