Short Story In Odia: କାହାଣୀ ଶୁଣିବାକୁ କାହାକୁ ବା ଭଲ ନଲାଗେ। ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏବେ ଫୋନର ବ୍ୟବହାର ଅଧିକ କରୁଛନ୍ତି। ଆଉ ସେ ଜେଜେ ମା କାହାଣୀ ଶୁଣିବାକୁ ମିଳୁନି। ଏବେ ସଭିଁଏ କାହାଣୀ ପଢିବାକୁ ହେଲେ ଗୋଟିଏ କ୍ଲିକରେ ଫୋନରୁ ବୁଢୀ ମା କାହାଣୀ ସଂଗ୍ରହ କରିନେଉଛନ୍ତି। ଆଉ ଏହି ଚାହିଦାକୁ ନେଇ ଜୀ ଓଡ଼ିଶା ପରିବାର ପକ୍ଷରୁ ଏହି ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ଏଣିତକି ପ୍ରତିଦିନ ଏକ କୁନି କାହାଣୀକୁ ଆମେ ସ୍ଥାନ ଦେବାକୁ ଯାଉଛୁ। ପଞ୍ଚତନ୍ତ୍ର କାହାଣୀ ଠାରୁ ଆରମ୍ଭ କରି ନୀତିଶିକ୍ଷା ପର୍ଯ୍ୟନ୍ତ ସବୁ କିଛି ପାଇପାରିବେ ଗୋଟିଏ କ୍ଲିକ୍ ରେ...
Trending Photos
Short Story In Odia: ଏକ ଜଙ୍ଗଲରେ ପଶୁ, ପକ୍ଷୀ, ଜଙ୍ଗଲୀ ଜନ୍ତୁ ସମସ୍ତେ ବସବାସ କରୁଥିଲେ । ଆଉ ସେହି ଜଙ୍ଗଲରେ ଏକ ସୁନ୍ଦରୀ ମୟୂରୀ ମଧ୍ୟ ରହୁଥିଲା। ସେହି ମୟୂରୀକୁ ଏକ ମୟୂର ଖୁବ ପସନ୍ଦ କରୁଥିଲା । ଦୀର୍ଘଦିନ ଧରି ମୟୂରୀକୁ କେବଳ ଦେଖି ଖୁସି ହେଉଥିଲା ମୟୂର । ଦିନ ଏମିତି ଆସିଲା ମୟୂର ସ୍ଥିର କଲା ନିଜର ମନ କଥା ଖୋଲି ମୟୂରୀକୁ କହିଦେବ। ଦିନେ ସାହାସ କରି ମୟୂର ମୟୂରୀ ପାଖକୁ ଗଲା ଏବଂ ବିବାହ ପ୍ରସ୍ତାବ ଦେଲା । ସେତିକି ବେଳେ ମୟୂରୀ କହିଲା ଠିକ୍ ଅଛି ବିବାହ କରିବାକୁ ମୋର ମନା ନାହିଁ...ହେଲେ ମୋର କିଛି ପ୍ରଶ୍ନର ଉତ୍ତର ଦେଲେ ମୁଁ ବିବାହ ପ୍ରସ୍ତାବରେ ରାଜି ହେବି । ମୟୂର ତୁରନ୍ତ ପଚାରିଲା କଣ ସେହି ପ୍ରଶ୍ନ...
ମୟୂରୀ ମୟୂରକୁ କହିଲା ତୁମର କେହି ସାଙ୍ଗ ବା ବନ୍ଧୁ ଅଛନ୍ତି...ମୟୂର ଖୁସି ହୋଇ କହିଲା ନା.. ନା.. ମୋର କେହି ସାଙ୍ଗ ନାହାଁନ୍ତି। ମୁଁ କେବଳ ମୋ ଭିତରେ ଓ ମୋ ପରିବାର ଭିତରେ ମୋ ଦୁନିଆକୁ ସୀମିତ ରଖେ। ଉତ୍ତର ଶୁଣି ମୟୂରୀ ସାଙ୍ଗେ ସାଙ୍ଗେ ବିବାହ କରିବାକୁ ମନା କରିଦେଲା । ମୟୂର ସେଠାରୁ ମନଦୁଃଖରେ ଫେରୁଥାଏ ଏବେ ଭାବୁଥାଏ ଜୀବନରେ ବନ୍ଧୁ କଣ ଏତେ ଜରୁରୀ?
ଏହାର ପରଦିନ ମୟୂର ପ୍ରଥମେ ବାଘ, କଇଁଛ ଏବଂ ଏକ ପକ୍ଷୀ ସହ ବନ୍ଧୁତା ସ୍ଥାପନ କଲା। ପକ୍ଷୀର କାମ ଥିଲା ଗଛରେ ଥାଇ ଶିକାର ବିଷୟରେ ବାଘକୁ ଜଣାଇବା। ପରେ ମୟୂର ମୟୂରୀ ପାଖକୁ ଯାଇ କହିଲା ଏବେ ମୋର ତିନି ତିନିଟା ସାଙ୍ଗ...ମୟୂରୀ ଖୁସି ହୋଇ ବିବାହ ପାଇଁ ରାଜି ହୋଇଗଲା । ଦୁହିଁଙ୍କ ବିବାହ ପରେ ଏକ ଗଛରେ ସେମାନେ ସାଙ୍ଗ ହୋଇ ରହିଲେ। ମୟୂରୀ ଅଣ୍ଡା ଦେଲା। ଦୁହେଁ ସେହି ଅଣ୍ଡାଗୁଡ଼ିକର ଯତ୍ନ ନେବାକୁ ଲାଗିଲେ। ହଠାତ୍ ଦିନେ ଦଳେ ଶିକାରୀ ଜଙ୍ଗଲରେ ଘୂରି ଘୂରି ସେହି ଗଛ ତଳେ ଥକ୍କା ମାରି ବସିଗଲେ। ହାତରେ କୌଣସି ଶିକାର ନପାଇ ନିରାଶ ଥିଲେ । ପରେ ଦେଖିଲେ ସେହି ଗଛରେ ଅନେକ ପକ୍ଷୀ ଓ ମୟୂରୀ ଅଣ୍ଡା ଦେଇଛନ୍ତି। ଶିକାରୀ କହିଲେ ଚଢେଇ ମାରି ତାଙ୍କ ଅଣ୍ଡା ଖାଇ ଆଜି ଦିନଟା ମେଣ୍ଟାଇଦେବା । ଏସମସ୍ତ କଥା ମୟୂରୀ ଓ ମୟୂର ଗଛରେ ଥାଇ ଶୁଣୁଥିଲେ। ପରେ ମୟୂର ବିଳମ୍ବ ନକରି ଶିକାରୀଙ୍କ କଥା ସବୁ ଯାଇ ସାଙ୍ଗ ପକ୍ଷୀକୁ କହିଲା।
ପକ୍ଷୀ ରାବ ଛାଡିଲା ଏହା ଜାଣି ବାଘକୁ ଖବର ମିଳିଲା ଯେ, ଶିକାର ଏଇ ପାଖାପାଖି କେଉଁଠି...ପ୍ରଥମେ କଇଁଛ ଶିକାରୀଙ୍କ ସାମ୍ନାକୁ ଆସି ଲୋଭ ବଢାଇଦେଲା । କିଛି ଶିକାରୀ କଇଁଛକୁ ଧରିବାକୁ ଯାଇ ନଇରେ ପଶିଗଲେ ଓ ଦଳରେ ଫସିଗଲେ । ପକ୍ଷୀର ରାବ ଶୁଣି ବାଘ ଆସି ଅନ୍ୟ ଶିକାରୀ ମାନଙ୍କୁ ନିଜର ଶିକାର କରିଦେଲା। ପରେ ମୟୂରୀ ଏସବୁ ଦେଖି ମୟୂରକୁ ପଚାରିଲା ଦେଖିଲ ମୁଁ ତୁମକୁ କାହିଁକି ପଚାରିଥିଲି କି ଜୀବନରେ ବନ୍ଧୁ ଜରୁରୀ ନା ନୁହେଁ...ଏହା ହେଉଛି ଉତ୍ତର...
ନୀତିଶିକ୍ଷା-; ଜୀବନରେ ଟଙ୍କା ପଇସା, ଧନ ଦଉଲତ ସବୁ ମିଳିବ ହେଲେ ଜୀବନରେ ଭଲ ବନ୍ଧୁଟେ ମିଳିବା କଷ୍ଟକର। ଯଦି ଜୀବନରେ ଭଲ ବନ୍ଧୁଟେ ମିଳେ ତେବେ ଜୀବନରେ ସମ୍ପୂର୍ଣ୍ଣତା ଆସିଥାଏ।