ଧର୍ମାନୁଷ୍ଠାନ ଖୋଲିବାକୁ ନେଇ ବଢୁଛି ଦ୍ୱନ୍ଦ୍ୱ, ଝୁଲିରହିଛି ନିଷ୍ପତ୍ତି
Advertisement

ଧର୍ମାନୁଷ୍ଠାନ ଖୋଲିବାକୁ ନେଇ ବଢୁଛି ଦ୍ୱନ୍ଦ୍ୱ, ଝୁଲିରହିଛି ନିଷ୍ପତ୍ତି

ଦୀର୍ଘ ଦିନର ଅପେକ୍ଷାରେ ଜୀବିକା ଉଜୁଡି ଯାଇଥିବା ବେଳେ ବିନା ସହାୟତାରେ ଏପରି ନିଷ୍ପତ୍ତି ପରେ ନିଷ୍ପତ୍ତି ବଦଳାଇବା ସେମାନଙ୍କ ପ୍ରତି କୁଠାରଘାତ ବୋଲି କୁହାଯାଇଛି।

ଧର୍ମାନୁଷ୍ଠାନ ଖୋଲିବାକୁ ନେଇ ବଢୁଛି ଦ୍ୱନ୍ଦ୍ୱ, ଝୁଲିରହିଛି ନିଷ୍ପତ୍ତି

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ତୁଟୁନି ମନ୍ଦିର (Temple) ଖୋଲିବା ଅଡୁଆ। ନଭେମ୍ବର ପାଇଁ ଅନଲକ୍ ୬.୦ ମାର୍ଗଦର୍ଶିକାରେ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବାକୁ ଅମୁମତି ଦେଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଅର୍ଥାତ ଏବେବି ନିର୍ଦ୍ଧିଷ୍ଟ ଭାବେ ମନ୍ଦିର ଖୋଲିବା ନିଷ୍ପତ୍ତି ଝୁଲିରହିଛି। ଯାହାକୁ ନେଇ ମଠ ମନ୍ଦିର ସେବାୟତ ରଣ ହୁଙ୍କାର ଦେଇଛନ୍ତି। 

ଦୀର୍ଘ ଦିନର ଅପେକ୍ଷାରେ ଜୀବିକା ଉଜୁଡି ଯାଇଥିବା ବେଳେ ବିନା ସହାୟତାରେ ଏପରି ନିଷ୍ପତ୍ତି ପରେ ନିଷ୍ପତ୍ତି ବଦଳାଇବା ସେମାନଙ୍କ ପ୍ରତି କୁଠାରଘାତ ବୋଲି କୁହାଯାଇଛି। ସେପଟେ ସରକାରଙ୍କ ଘୋଷଣା ପରେ ମସଜିଦ (Mosque), ଚର୍ଚ୍ଚ (Church) ଖୋଲିବାକୁ ନୂଆ ଆଶା ସଞ୍ଚାର ହୋଇଛି। ନିର୍ଦ୍ଦେଶ ଦେଲେ କଟକଣା ଅନୁଯାଇ ଶ୍ରଦ୍ଧାଳୁଙ୍କ ପାଇଁ ଦ୍ୱାର ଖୋଲିବାକୁ କହିଛନ୍ତି କର୍ତ୍ତୃପକ୍ଷ। 

ଛିଣ୍ଡୁନି ଧର୍ମାନୁଷ୍ଠାନ ଖୋଲିବା ଅଡୁଆ। ଗୋଟିଏ ପଟେ କୋରୋନା ସଂକ୍ରମଣର ଭୟ ଅନ୍ୟପଟେ ପେଟର ଭୋକ ଦାଉରେ ସଢି ହେଉଥିବା ପରିସ୍ଥିତି। ଦୀର୍ଘ ୭ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଭକ୍ତଙ୍କ ପାଇଁ ମଠ ମନ୍ଦିର ବନ୍ଦ ରହିଥିବାରୁ ସେବାୟତଙ୍କ ଜୀବନଜୀବିକା ଉଜୁଡି ଯାଇଛି। ଏବେ ଷଷ୍ଠ ପର୍ଯ୍ୟାୟ ଅନଲକରେ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଉପରେ ଏହାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ପୂର୍ବରୁ ଅକ୍ଟୋବରରେ ଜିଲ୍ଲାପାଳଙ୍କୁ ଏ ବାବଦରେ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମଧ୍ୟ ସରକାର ଚିଠି ଲେଖିଥିଲେ। 

ହେଲେ ନିର୍ଦ୍ଧିଷ୍ଟ ଭାବେ ମନ୍ଦିର ଖୋଲିବା ନଖୋଲିବାକୁ ନେଇ ଏବେବି ଦ୍ୱନ୍ଦ୍ୱରେ ସେବାୟତ। ସରକାର ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସେବାୟତ ଦାବି କରିଛନ୍ତି। ସେପଟେ ମସଜିଦ୍ ଓ ଚର୍ଚ୍ଚରେ ମଧ୍ୟ ସମାନ ଅବସ୍ଥା। ଦୀର୍ଘ ଦିନ ଧରି ଶ୍ରଦ୍ଧାଳୁଙ୍କ ପାଇଁ ଦ୍ୱାର ବନ୍ଦ ରହିଥିବାରୁ ଏବେ ନୂଆ ନିଷ୍ପତ୍ତି ନୂଆ ଆଶା ସଞ୍ଚାର କରିଥିବା କହିଛନ୍ତି କର୍ତ୍ତୃପକ୍ଷ। ବିଭିନ୍ନ ମସଜିଦରେ ପୂର୍ବଭଳି ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ୫ ଜଣଙ୍କ ମଧ୍ୟରେ ନମାଜ (Namaz) ପାଠ କରାଯାଉଥିଲା। 

ସମୂହ ନମାଜ ସହ  ବିଭିନ୍ନ ପର୍ବରେ ଭକ୍ତଙ୍କୁ ବାରଣ କରାଯାଇଛି। ଚର୍ଚ୍ଚରେ ମଧ୍ୟ ସମାନ ଅବସ୍ଥା, ସମୂହ ପ୍ରାଥର୍ନା ବନ୍ଦ ରହିଛି। ଏବେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କଟକଣା ଯୁକ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବେଶ, ପ୍ରସ୍ଥାନ ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ବିଶୋଧନ ଆଦି ପାଳନ କରି ସମୂହ କାର୍ଯ୍ୟକ୍ରମ କରିବେ ବୋଲି କହିଛନ୍ତି ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ। କୂଆଡେ ଯିବ ନିଷ୍ପତ୍ତି? ସଂକ୍ରମଣକୁ ଦେଖିଲେ ଜୀବନର ଭୟ ଏବଂ ବନ୍ଦ ରଖିଲେ ଜୀବିକା ଭୟ। ଏପରିସ୍ଥିତିରେ ସନ୍ତୁଳନ ରକ୍ଷା କରି ସ୍ଥାନୀୟ ପ୍ରଶାସନ ବିଳମ୍ବ ନକରି ଯଥାଚିତ ପଦକ୍ଷେପ ନେବାକୁ ଦାବି ହୋଇଛି।